LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନଭେମ୍ବର ୩ରେ ଭୋଟ୍, ରବିବାର ସନ୍ଧ୍ୟାରେ ସରିବ ପ୍ରଚାର: ଭୋଟରଙ୍କ ମନ ଜତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ରାଜନୈତିକ ଦଳ

31/10/2020 at 6:14 PM

ବାଲେଶ୍ୱର ୩୧/୧୦ :  ପ୍ରଚାର ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ । ଭୋଟରଙ୍କ ମନ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ସବୁ ରାଜନୈତିକ ଦଳ । ବାଲେଶ୍ବରରେ ବିଜେପି ନିଜ ଆସନ ବଜାୟ ରଖିବାକୁ ପୂରା ଦମ୍‌ ଲଗାଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ଗଡ଼ରକ୍ଷା ପାଇଁ ଚଳାଇଛି ଉଦ୍ୟମ । ଏହାରି ଭିତରେ ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଆଜି ଧୁଳିଉଡ଼ା ପ୍ରଚାର କରିଛନ୍ତି ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର ।

ନଭେମ୍ବର ୩ରେ ଭୋଟ୍‌ । ଏହାର ୨୪ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୧ ତାରିଖ ରବିବାର ସଂଧ୍ୟାରେ ସରିବ ପ୍ରଚାର । ହାତରେ ଆଉ ମାତ୍ର ଗୋଟିଏ ଦିନ । ଭୋଟରଙ୍କ ମନ ଜତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ସବୁ ରାଜନୈତିକ ଦଳ । ବାଲେଶ୍ବର ବାଜି ଜିତିବାକୁ ବିଜେଡି-ବିଜେପି ଓ କଂଗ୍ରେସ ଢ଼େର୍‌ କସରତ୍‌ ଚଳାଇଥିବା ବେଳେ ରେସ୍‌ରେ ପଛରେ ପଡ଼ିବାକୁ ଚାହିଁନାହାନ୍ତି ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ । ୨୦୧୯ରେ ବିଜେପି ଖାତାକୁ ଯାଇଥିବା ବାଲେଶ୍ବର ସଦର ଆସନକୁ ଉପନିର୍ବାଚନରେ ପୁଣି ହାତକୁ ଆଣିବାକୁ ପୂରା ଦମ୍‌ ଲଗାଇଛି ବିଜେପି । ଦଳୀୟ ପ୍ରାର୍ଥୀ ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଜିତାଇବାକୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଦଳର ହେଭିଓ୍ବେଟ୍‌ ।

ଆଜି ବିଜେପି ପାଇଁ ପ୍ରଚାର କରିଛନ୍ତି ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ. ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରମୁଖ । ରୋଡ୍‌ ଶୋ’ ସହ ଛୋଟ ଛୋଟ ସଭା କରି ଭୋଟରଙ୍କ ସମର୍ଥନ ଲୋଡ଼ିଛନ୍ତି ।ସେପଟେ ବାଲେଶ୍ବର ବାଜି ଜିତିବାକୁ ମହିଳା ଭୋଟରଙ୍କ ଉପରେ ଫୋକସ କରିଛି ବିଜେଡି । ନିର୍ବାଚନ ମଣ୍ଡଳୀର ବିଭିନ୍ନସ୍ଥାନରେ ଦଳର ମହିଳା କର୍ମୀ ବାଇକ୍‌ ର୍ୟାଲି କରିବା ସହ ପଥପ୍ରାନ୍ତ ସଭା ମାଧ୍ୟମରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ଭୋର୍‌ ଅପିଲ୍‌ କରିଛନ୍ତି । ଆଜି ବି ପ୍ରଚାରରେ ପ୍ରତାପ ଜେନା, ସମୀର ଦାଶଙ୍କ ସମେତ ଅଧ ଡଜନେରୁ ଅଧିକ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ ସାମିଲ୍‌ ହୋଇଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରିଥିଲେ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ସୁଦର୍ଶନ ଦାସ, ସତ୍ୟଶିବ ଦାସ, ଅଶୋକ ଦାସ ପ୍ରମୁଖ ।

ସେପଟେ ତିର୍ତ୍ତୋଲରେ ମଧ୍ୟ ଦେଖିବାକୁ ମିଳିଛି ପ୍ରଚାର ତାତି । ଗଡ଼ ରକ୍ଷା ପାଇଁ ବିଜେଡି ପୂରା ଦମ୍‌ ଲଗାଇଛନ୍ତି ଦଳୀୟ ନେତା । ଗଲା ୨୦ବର୍ଷ ଧରି ବିଜେଡି କବ୍‌ଜାରେ ରହିଆସିଥିବା ତିର୍ତ୍ତୋଲରେ ବିଜୟ ଧାରା ବଜାୟ ରଖିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଆଜି ରଘୁନାଥପୁର ବ୍ଲକରେ ବିଜେଡି ତା’ର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ । ସେପଟେ ବିଜେପି ପାଇଁ ତିର୍ତ୍ତୋଲରେ ପୁଣି ଥରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ମଧ୍ୟ ରଘୁନାଥପୁର ବ୍ଲକରେ ଘରକୁ ଘର ବୁଲି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ଭୋଟରଙ୍କ ସମର୍ଥନ ଲୋଡ଼ିଛନ୍ତି । ସେପଟେ ବିରିଡ଼ି ବ୍ଲକରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାୟକ । ସେହିଭଳି ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ହିମାଂଶୁ ମଲ୍ଲିକ ମଧ୍ୟ ଦଳୀୟ ନେତା କର୍ମୀଙ୍କ ସହ ଗାଁକୁ ଗାଁ ବୁଲି ଜୋର୍‌ଦାର୍‌ ପ୍ରଚାର ଚଳାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ବଚ୍ଛ ଶାସନ ସହିତ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାକୁ ମାଧ୍ୟମ କରି ବିଜେଡି ଭୋଟ୍‌ ଅପିଲ୍‌ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ବିକାଶକୁ ନିର୍ବାଚନୀ ମନ୍ତ୍ର କରିଛି ବିଜେପି । ସେପଟେ କଂଗ୍ରେସ ତା’ର ପ୍ରାର୍ଥୀଙ୍କ ଉପରେ ଭରସା କରିଥିବା ବେଳେ କଂଗ୍ରେସ ଅମଳରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ଦ୍ବାହି ଦେଇ ଭୋଟ୍‌ ଭିକ୍ଷା କରୁଛି । କିନ୍ତୁ ସବୁ କିଛି ନିର୍ଭର କରୁଛି ଭୋଟରଙ୍କ ମୁଡ୍‌ ଉପରେ । ଉପନିର୍ବାଚନ ହେଉଥିବା ୨ଟି ଯାକ ଆସନରେ  ଭୋଟର କେଉଁ ପ୍ରାର୍ଥୀଙ୍କୁ ନିଜର ପ୍ରତିନିଧି ଭାବେ ବାଛିବାକୁ ଚାହୁଁଛନ୍ତି ତାହା ନଭେମ୍ବର ୧୦ରେ ସ୍ପଷ୍ଟ ହୋଇଯିବ ।

   Related Posts