ମୁମ୍ୱାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ ଲଭ୍ ଜିହାଦକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଲଭ୍ ଜିହାଦ ମାମଲା ସାମନାକୁ ଆସିଛି । ସେ କହିଛନ୍ତି ଯେ ଫେକ୍ ପରିଚୟ ପତ୍ର କରି ହିନ୍ଦୁ ଝିଅଙ୍କୁ ଫସାଇ ବିବାହ କରିବା ପାଇଁ ରାଜି କରାଯାଉଛି । ବିରୋଧୀ ମହା ବିକାଶ ଅଘାଡ଼ିକୁ ଟାର୍ଗେଟ୍ କରି ଦେବେନ୍ଦ୍ର ଫଡଣଭିସ ଦାବି କରିଛନ୍ତି ଯେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ ଆସନ ମଧ୍ୟରୁ ୧୪ରେ ଭୋଟ୍ ଜିହାଦ ଦେଖିବାକୁ ମିଳିଛି ।
ଏକ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ଫଡଣଭିସ କହିଛନ୍ତି, 'ଏକ ଦଶନ୍ଧି ପୂର୍ବେ ଆମେ ଭାବୁଥିଲୁ ଯେ ଲଭ୍ ଜିହାଦ୍ ଘଟଣା ଥରେ ଅଧେର ଘଟଣା । ଆମେ ଭାବୁଥିଲୁ ଏହା କୌଣସି ଷଡ଼ଯନ୍ତ୍ର ନୁହେଁ । ଏବେ ଆମ ସାମନାରେ ଏକ ଲକ୍ଷରୁ ଅଧିକ ଅଭିଯୋଗ ରହିଛି, ଯେଉଁଠି ହିନ୍ଦୁ ମହିଳାଙ୍କୁ ଅନ୍ୟ ଧର୍ମର ପୁରୁଷଙ୍କ ଫେରାର ହୋଇ ବିବାହ କରିବା ପାଇଁ ଫସାଯାଇଛି ।'
ବିଜେପି ନେତା ଭୋଟ୍ ଜିହାଦ୍ କଥା ମଧ୍ୟ ଉଠାଇଛନ୍ତି । ସେ ଧୁଲେ ଲୋକସଭା ଆସନର ପରିଣାମ କଥା ଉଲ୍ଲେଖ କରି କହିଛନ୍ତି ଯେ ଏମଭିଏ ପ୍ରାର୍ଥୀ ମାଲେଗାଓଁ ସେଣ୍ଟ୍ରାଲ୍ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସାମୁହିକ ମତଦାନ ଯୋଗୁଁ ବିଜୟୀ ହେଲେ । ସେ କହିଛନ୍ତି, 'ନିର୍ବାଚନ ପରିଣାମ ବ୍ୟତୀତ ପ୍ରକୃତ ଚିନ୍ତା କିଛି ଲୋକଙ୍କ ବଢୁଥିବା ଆତ୍ମବିଶ୍ୱାସକୁ ନେଇ ରହିଛି, ଯେଉଁମାନେ ଭାବୁଛନ୍ତି ଯଦି ସେମାନେ ବହୁ ସଂଖ୍ୟାରେ ମତଦାନ କରିବେ ତେବେ ହିନ୍ଦୁବାଦୀ ଶକ୍ତିଙ୍କୁ ହରାଇପାରିବେ ।'
ଦେବେନ୍ଦ୍ର ଫଡଣଭିସ କହିଛନ୍ତି ଯେ ଏବେ ଉଠିବାର ସମୟ ଆସି ସାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ମହାରାଷ୍ଟ୍ରରେ ୪୮ ଲୋକସଭା କ୍ଷେତ୍ର ମଧ୍ୟରୁ ୧୪ ଆସନରେ ଭୋଟ୍ ଜିହାଦ ହୋଇଛି । ହିନ୍ଦୁ ଧର୍ମ କେବେ ବି ଅନ୍ୟ ଧର୍ମର ଅପମାନ କରି ନାହିଁ । ସହିଷ୍ଣୁତା ଆମ ରକ୍ତରେ ରହିଛି । ଯଦି କେହି ହିନ୍ଦୁ ବିରୋଧୀ ନେତାଙ୍କୁ ଶୀର୍ଷ ଆସନରେ ବସାଇବା ପାଇଁ ଭୋଟ କରୁଛି, ତେବେ ହିନ୍ଦୁଙ୍କୁ ସଜାଗ କରାଇବା ଉପରେ ଜୋର ଦେବାର ଆବଶ୍ୟକତା ରହିଛି ।'