ଆସନ୍ତାକାଲି ଧାମନଗରେ ଭୋଟ୍ କାଉଣ୍ଟିଂ, ଧଡ଼ଧଡ଼ ହେଲାଣି ପ୍ରାର୍ଥୀଙ୍କ ଛାତି

Published By : Prameya-News7 Bureau | November 05, 2022 IST

ଭଦ୍ରକ: ଆସନ୍ତାକାଲି ଧାମନଗରେ ଭୋଟ୍ କାଉଣ୍ଟିଂ ଡେ` । ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟଗଣତି । ଏଥି ପାଇଁ ପ୍ରସ୍ତୁତ ହୋଇଥିବା ୧୪ ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଏଥି ପାଇଁ ଷ୍ଟ୍ରଙ୍ଗ ରୁମ୍ କରାଯାଇଥିବା ସଂସ୍କୃତି ଭବନ ଚାରି ପାଖରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ ଜିତାପଟକୁ ନେଇ ନିଜ ନିଜର ଦାବିଦାରୀ ପେଶ୍ କରିଛନ୍ତି ବିଜେଡି ଓ ବିଜେପି । ତେବେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ୍ ଉପରେ ରହିଛି ପଲିଟିକାଲ ପଣ୍ଡିତଙ୍କ ନଜର ।

{"id":705277,"sizeSlug":"full","linkDestination":"none"}

ରବିବାର ଧାମନଗର ରାୟ । ଉପନିର୍ବାଚନ ଭୋଟ ଗଣତିକୁ ନେଇ ବଢ଼ୁଛି ଉତ୍କଣ୍ଠା । କାଲି ଧାମନଗରରେ କାଉଣ୍ଟିଂ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । କାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ । ଏହା ପରେ ୧୪ଟି ଟେବୁଲରେ ମୋଟ ୧୮ରାଉଣ୍ଡରେ ଭୋଟ ଗଣତି ହେବ । ଶେଷରେ ଭିଭିପାଟ୍ ସହ ପୁଲିଂ ଓ ଭୋଟିଂ ସଂଖ୍ୟାକୁ ମେଳକ କରାଯିବ । କାଉଣ୍ଟିଂ ପାଇଁ ଷ୍ଟ୍ରଙ୍ଗ ରୁମ୍ କରାଯାଇଥିବା ସଂସ୍କୃତି ଭବନରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଇଭିଏମରେ ଭୋଟିଂ ହୋଇଥିବାରୁ ଅପରାହ୍ଣ ୪ଟା ସୁଦ୍ଧା ଫଳାଫଳ ସାମ୍ନାକୁ ଆସିଯିବ ବୋଲି ଆଶା କରାଯାଉଛି ।

{"id":705275,"sizeSlug":"full","linkDestination":"none"}

ଆଉ ମାତ୍ର ଗୋଟିଏ ରାତିର ବ୍ୟବଧାନ । ଧଡ଼ଧଡ଼ ହେଲାଣି ପ୍ରାର୍ଥୀଙ୍କ ଛାତି । ଭୋଟ ଗଣତି ପୂର୍ବରୁ କଂଗ୍ରେସ ହାତ ଟେକିଦେଇଥିବା ବେଳେ ବିଜେଡି-ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭିତରେ କିଏ ଜିତିବ ଧାମନଗର ତାକୁ ନେଇ ଚାଲିଛି ଅଙ୍କକଷା । ଧାମନଗରବାସୀଙ୍କ ରାୟ ବିଜେଡି ସପକ୍ଷରେ ଯିବ ବୋଲି ଦଳୀୟ ନେତା ଫୁଲ୍ କନ୍ଫିଡେଣ୍ଟ ଶୋ’ କରୁଛନ୍ତି । ସେହିଭଳି ଧାମନଗରରେ ପୁଣି ପଦ୍ମ ଫୁଟିବ ବୋଲି କହୁଛନ୍ତି ବିଜେପି ନେତା । ତେବେ ବିଜେଡି ଓ ବିଜେପିର ଦମ୍ଭୋକ୍ତିକୁ ପ୍ରମାଣିତ କରିବାରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ।

{"id":705276,"sizeSlug":"full","linkDestination":"none"}

ଧାମନଗରରେ ମୋଟ୍ ୬୮.୯୮ ପ୍ରତିଶତ ଭୋଟିଂ ହୋଇଛି । ଅର୍ଥାତ୍ ୨ଲକ୍ଷ ୩୮ହଜାର ୪୧୭ ଭୋଟରଙ୍କ ଭିତରୁ ଉପନିର୍ବାଚନରେ ୧ ଲକ୍ଷ ୬୪ହଜାର ୪୬୫ ଭୋଟ ଦେଇଛନ୍ତି । ଏହାରି ଭିତରେ ୬୪.୨୨ ପ୍ରତିଶତ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୪ ପ୍ରତିଶତ ରହିଛି । ଜୟନଗର ୧୧୬ ନମ୍ବର ବୁଥରେ ସର୍ବାଧିକ ୮୩.୩୨ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବାରୋ ନୋଡାଲ ହାଇସ୍କୁଲ ବୁଥ ନମ୍ବର ୬୯ରେ ମତଦାନ ହାର ସର୍ବନିମ୍ନ ୫୪.୮୭ ପ୍ରତିଶତ ରହିଛି ।

ଧାମନଗର ଉପନିର୍ବାଚନରେ ଅଧିକ ମାତ୍ରାରେ ମହିଳା ଭୋଟ୍ ଦେଇଥିବାରୁ ଏଠାରେ ବିଜେଡିକୁ ଫାଇଦା ଯାଇପାରେ । ତଥାପି ଚିତ୍ର ଅସ୍ପଷ୍ଟ ରହିଥିବାରୁ ବିଜେଡି-ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କ ଭିତରେ କ୍ଲୋଜ୍ କଣ୍ଟେଷ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.