ଡାକ୍ତରଖାନାରେ ଭର୍ତ୍ତି କରି ଛାଡିଗଲେ ଗାଁ ଲୋକେ, ଶବ ସତ୍କାର କଲେ ସ୍ଵେଚ୍ଛାସେବୀ

Published By : Prameya-News7 Bureau | December 09, 2022 IST

ଦେବଗଡ: ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରି ପାଖ ପଡୋଶୀ ଚାଲିଗଲେ। ଆଉ ଡାକ୍ତରଖାନାରେ ମୃତ୍ୟୁର ୨୪ଘଣ୍ଟା ପରେ ସ୍ଵେଚ୍ଛାସେବୀ ମାନେ ଶବ ସତ୍କାର କରି ନିଜର ମହାନତାର ପରିଚୟ ଦେଇଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଝରାକଣ୍ଢଳ ଗ୍ରାମରେ ଗୋବିନ୍ଦ ମୁଣ୍ଡା ନାମକ ଜଣେ ବ୍ୟକ୍ତି ରହିବା ସହ ଗ୍ରାମବାସୀମାନଙ୍କ ଗୋରୁଗାଈଙ୍କୁ ଚରାଇ ନିଜ ପେଟ ପୋଷୁଥିଲେ। ଚଳିତ ମାସ ୧ ତାରିଖରେ ଗୋବିନ୍ଦଙ୍କ ଦେହ ଅସୁସ୍ଥ ହେବାରୁ ପାଖ ପଡୋଶୀ ତାଙ୍କୁ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦେବଗଡ ଡାକ୍ତରଖାନାରେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଗ୍ରାମବାସୀମାନେ ସେଠାରୁ ଚାଲି ଯାଇଥିଲେ।

ଡାକ୍ତରଖାନା କର୍ତ୍ତୃପକ୍ଷ ଶବକୁ ସଂରକ୍ଷିତ କରି ରଖିବା ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ମଧ୍ୟ କେହି ଶବ ନେବାକୁ ଆସିନଥିଲେ । ପରେ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ ଓ ପୌର ପରିଷଦକୁ ଜଣାଇଥିଲେ। ସୂଚନା ପାଇ ଦେବଗଡ ଅଞ୍ଚଳରେ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ସମଗ୍ର ଦେବଗଡ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ମୃତ ଗୋବିନ୍ଦଙ୍କ ଶବକୁ ନେଇ ସ୍ଥାନୀୟ  ସ୍ଵର୍ଗଦ୍ଵାରରେ ଉପଯୁକ୍ତ ସମ୍ମାନ ଦେଇ ସତ୍କାର କରାଯାଇଛି । ସ୍ଥାନୀୟ ଯୁବକଙ୍କ ଏଭଳି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.