ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଇଲେକ୍ଟ୍ରିକ୍ ପ୍ଲାଟଫର୍ମ ସହ ଚୁକ୍ତି କରିଛି ଜର୍ମାନ କାର୍ ମେକର ଭୋକ୍ସଓ୍ବାଗନ । ଏହି ଚୁକ୍ତି ଅନୁଯାୟୀ ଭାରତରେ ମହିନ୍ଦ୍ରାକୁ କାର୍ ନିର୍ମାଣ ପାଇଁ ସାମଗ୍ରୀ ଯୋଗାଇବା ଭୋକ୍ସଓ୍ବାଗନ। ତେବେ ଏହି ଖବର ଏଭଳି ସମୟରେ ଆସିଛି ଯେତେବେଳେ, ଭାରତରେ ଭୋକ୍ସଓ୍ବାଗନ ଏହାର ବ୍ୟବସାୟକୁ କୌଣସି ସ୍ଥାନୀୟ କମ୍ପାନିଙ୍କୁ ହସ୍ତାନ୍ତର କରିବାକୁ ଚାହୁଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ଫେବ୍ରୁଆରୀରେ ଦୁଇ କମ୍ପାନି ପାର୍ଟ୍ସ ଯୋଗାଣ ନେଇ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ଏମ୍ ଆଣ୍ଡ୍ ଏମ୍ର ନୂଆ ଇଲେକ୍ଟ୍ରିକ୍ ପ୍ଲାଟଫର୍ମ INGLO ପାଇଁ ଭୋକ୍ସଓ୍ବାଗନର ଭେଇକିଲ୍ ପ୍ଳାଟଫର୍ମ ପାର୍ଟ୍ସ ଯୋଗାଇବ। ଡିଲ୍ ଅନୁଯାୟୀ, ଭୋକ୍ସଓ୍ବାଗନ ପିଭି ବ୍ୟାଟେରୀ ଭଳି ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଇବ। INGLO ପ୍ଲାଟଫର୍ମ ଅନ୍ତର୍ଗତ ପ୍ରଥମ ଏସୟୁଭି ଚଳିତ ବର୍ଷ ଶେଷ ସୁଦ୍ଧା ଲଞ୍ଚ ହେବାକୁ ଯୋଜନା ରହିଛି। ଏହା ପୂର୍ବରୁ ଭୋକ୍ସଓ୍ବାଗନର ଆର୍ଥିକ ମୁଖ୍ୟ ଆର୍ନୋ ଆନଟିଲ୍ଟଜ କହିଥିଲେ ଭାରତରେ ପିଭି ବ୍ୟାଟେରୀ ନିର୍ମାଣ ପାଇଁ ଯୋଜନା କରୁଛି।
ସୂଚନାଥାଉକି, ଏହି ଜର୍ମାନ କମ୍ପାନି ୨୦୦୭ରୁ ଭାରତରେ ବ୍ୟବସାୟ ଆରମ୍ଭ କରିବା ପରଠାରୁ ଏପର୍ଯ୍ୟନ୍ତ ୨ ବିଲିୟନ ଡଲାରରୁ ଅଧିକର ନିବେଶ କରିଛି। ମାତ୍ର ପ୍ରିମିୟମ ମୂଲ୍ୟ ଏବଂ ଖରାପ ବ୍ରାଣ୍ଡ୍ ରିକଲ କାରଣରୁ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି।
ଭୋକ୍ସଓ୍ବାଗନ ଗ୍ରୁପ୍ ଏହାର ଗଲ୍ଫ, ପୋଲୋ ଏବଂ ପସାଟ୍ ଭଳି କାର୍ ପାଇଁ ଖୁବ୍ ପରିଚିତ। ବର୍ତ୍ତମାନ କମ୍ପାନିର ଭର୍ଚ୍ୟୁସ, ଟାଇଗନ, ଏବଂ ଟିଗୁଆନ ବେଶ୍ ଲୋକପ୍ରିୟ ରହିଛି। କମ୍ପାନି ଚାଇନାରେ ଏଫଏଡବ୍ଲୁ ଏବଂ ଏସଏଆଇସି ଭଳି କମ୍ପାନି ସହ ମିଶି କାମ କରୁଛି। ଅବଶ୍ୟ ଆମେରିକାରେ କମ୍ପାନିର ସ୍ଥିତି ଭଲ ରହିଛି।
ଉଲ୍ଲେଖଯୋଗ୍ୟ, ଏମ୍ ଆଣ୍ଡ୍ ଏମ୍ ଆଗାମୀ ତିନି ବର୍ଷ ପାଇଁ ଏହାର ଇଲେକ୍ଟ୍ରିକ୍ ସେଗମେଣ୍ଟ ପାଇଁ ଯୋଜନା କରିସାରିଥିବାବେଳେ ଭୋକ୍ସଓ୍ବାଗନ ଏପର୍ଯ୍ୟନ୍ତ ଏହାର ଇଭି ସେଗମେଣ୍ଟ ପଛରେ ରହିଛି।