Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଣ୍ଡୋନେସିଆରେ ଫାଟିଲା ଜ୍ବାଳାମୁଖୀ, ମାଉଣ୍ଟ ସେମେରୋରେ ୧୨ ହଜାର ଫୁଟ୍ ଉଚ୍ଚରେ ଲାଭା ନିର୍ଗତ, ଧୂଆଁ ଧୂଆଁ ଅଞ୍ଚଳ

5/12/2022 at 10:40 AM

ନୂଆଦିଲ୍ଲୀ ୦୫/୧୨: ଇଣ୍ଡୋନେସିଆରେ ଫାଟିଲା ଜ୍ବାଳାମୁଖୀ । ରବିବାର ଇଣ୍ଡୋନେସିଆର ମାଉଣ୍ଟ ସେମେରୋରେ ଅଚାନକ ଜ୍ୱାଳାମୁଖୀ ଫାଟିଛି । ଫଳରେ ପ୍ରାୟ ୧୨ ହଜାର ଫୁଟ ଉଚ୍ଚ ଏହି ଜ୍ୱାଳାମୁଖୀ ପାହାଡରୁ ବିପୁଳ ଲାଭା, ଗରମ ଗ୍ୟାସ୍ ଓ ଧୂଆଁ ବାହାରି ସମଗ୍ର ଅଞ୍ଚଳକୁ ଧୂଆଁ ଧୂଆଁ କରି ଦେଇଛି । ଜ୍ୱାଳାମୁଖୀର ଲାଭା, ନିକଟରେ ଥିବା ଚାଷଜମିରେ ମାଡ଼ିଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମାଉଣ୍ଟ ସେମେରୋ ପାହାଡ଼ ଗତ କିଛିଦିନ ହେଲା କୁହୁଳିବାରେ ଲାଗିଥିଲା । ହେଲେ ମୌସୁମୀ ଜନିତ ବର୍ଷା ଯୋଗୁ ହଠାତ୍ ଜ୍ୱାଳାମୁଖୀ ଫାଟିଥିବା କୁହାଯାଉଛି ।

ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖପାତ୍ର ଅବଦୁଲ ମୁହାରିଙ୍କ ସୂଚନା ଅନୁସାରେ ଜ୍ୱାଳାମୁଖୀର ପ୍ରବଳ ଧୂଆଁ ଆଖପାଖ ଅନେକ ଗାଁକୁ ଆଚ୍ଛାଦିତ କରିଦେଇଛି । କଳା ଧୂଆଁରେ ଆକାଶରେ କଳା ବାଦଲ ସୃଷ୍ଟି ହୋଇଛି । ସବୁଆଡେ ଅନ୍ଧାର ଘୋଟି ଯାଇଛି । ସ୍ଥିତି ଏପରି ହୋଇଛି ଯେ ଦିନରେ ବି ଲୋକେ ଲାଇଟ୍ ଜଳାଉଛନ୍ତି । ଏହି ଜ୍ୱାଳାମୁଖୀ ଫାଟିବା ଫଳରେ ଗରମ ଗ୍ୟାସ୍‌ ଓ ଲାଭା ୮ କି.ମି. ପର୍ଯ୍ୟନ୍ତ ମାଡ଼ି ଆସିଥିଲା । ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୨୦ କି.ମି. ଦୂରରେ ଏକ ସ୍କୁଲରେ ଆଶ୍ରୟ ନେଇଛନ୍ତି ଲୋକେ । ଏହି ଜ୍ୱାଳାମୁଖୀର ରେଡ୍ ଜୋନ୍‌ରେ ରହିଛି ୩ ହଜାର ଘର । ସମସ୍ତ ପରିବାରକୁ ସ୍ଥାନାନ୍ତର କରାଯାଇଛି । ଧୂଆଁର ବାଦଲ ପ୍ରାୟ ୫ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ଯାଇଛି । ପାହାଡରୁ ନିର୍ଗତ ହେଉଥିବା ଲାଭା ବେସୁକ କୋବୋକାନ ନଦୀ ପାଣିରେ ମିଶିଛି ।

ରାଜଧାନୀ ଜାକର୍ତ୍ତା ଠାରୁ ୮୦୦ କି.ମି. ଦୂର ଦକ୍ଷିଣ-ପୂର୍ବ ଜାଭା ଦ୍ୱୀପରେ ରହିଛି ମାଉଣ୍ଟ ସେମେରୋ । ଜାଭାରେ ଅନେକ ସକ୍ରିୟ ଜ୍ୱାଳାମୁଖୀ ରହିଛି । କିନ୍ତୁ ମାଉଣ୍ଟ ସେମେରୋ ସେଥିମଧ୍ୟରେ ସବୁଠାରୁ ଉଚ୍ଚ ଓ ବିପଜ୍ଜନକ ଜ୍ୱାଳାମୁଖୀ । ପୃଥିବୀରେ ୧୫୦୦ ସକ୍ରିୟ ଜ୍ୱାଳାମୁଖୀ ରହିଛି । କେବଳ ଇଣ୍ଡୋନେସିଆରେ ୧୨୧ ସକ୍ରିୟ ଜ୍ୱାଳାମୁଖୀ ଅଛି । ଯେଉଁଥିରୁ ୭୪ଟି ପ୍ରାୟ ୧୮୦୦ ମସିହାରୁ ସକ୍ରିୟ ରହିଛି । ଅର୍ଥାତ ଏସବୁରେ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରଣ ଘଟିପାରେ । ୭ଟି ଜ୍ୱାଳାମୁଖୀରୁ ଗତ ଅଗଷ୍ଟ ମାସରୁ ଲାଭା ଓ ଧୂଆଁ ବାହାରିବାରେ ଲାଗିଛି । ସେଗୁଡିକ ମଧ୍ୟରେ ରହିଛି କ୍ରାକଟାଉ, ମେରାପି, ଲୋବୋଟୋଲୋକ, କାରାଙ୍ଗେଟାଙ୍ଗ, ସେମେରୁ, ଇବୁ ଏବଂ ଡୁକୋନୋ । ଗତବର୍ଷ ମଧ୍ୟ ମାଉଣ୍ଟ ସେମେରୋ ବିସ୍ଫୋରଣ ହୋଇଥିଲା । ଗରମ ଗ୍ୟାସ୍‌ ଓ ନିଆଁ ଯୋଗୁ ୫୧ ଜଣ ପ୍ରାଣ ହରାଇଥିଲେ । ପ୍ରାୟ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଇଣ୍ଡୋନେସିଆ ପ୍ୟାସିଫିକ୍ ପ୍ଲେଟର ରିଙ୍ଗ୍ ଅଫ୍ ଫାୟାର ଉପରେ ରହିଛି । ତେଣୁ ଏହି ଅଞ୍ଚଳରେ ସବୁଠାରୁ ଅଧିକ ଭୂଗର୍ଭୀୟ ଓ ଭୌଗୋଳିକ ଗତିବିଧି ଘଟୁଛି । ଯାହାଫଳରେ ଭୂମିକମ୍ପ, ସୁନାମି, ଅଗ୍ନି ଉଦ୍‌ଗିରଣ ଆଦି ଘଟୁଥିବା ଜଣାପଡିଛି।

   Related Posts