Vodafone କରିବ ବଡ଼ ଛଟେଇ, ବିଦା ହେବେ ୧୧ ହଜାର କର୍ମଚାରୀ
16/05/2023 at 10:25 PM

ନୂଆଦିଲ୍ଲୀ, ୧୬/୦୫: ପ୍ରମୁଖ ଟେଲିକମ କମ୍ପାନି ଭୋଡାଫୋନ ଏହାର ୧୧ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରିଛି। ଭୋଡାଫୋନର ନୂଆ ସିଇଓ ମାର୍ଗାରିଟା ଡେଲା ବେଲେ ଆଗାମୀ ତିନି ବର୍ଷରେ ୧୧ ହଜାର କର୍ମଚାରୀଙ୍କ ଛଟେଇ କରାଯିବାକୁ ଥିବା ନେଇ କହିଛନ୍ତି। ତେବେ କମ୍ପାନିର କାରବାରରେ କ୍ଷତି କାରଣରୁ ଏତେ ବଡ଼ ଆକାରରେ ଛଟେଇ କରାଯାଉଥିବା କୁହାଯାଇଛି।
ମାର୍ଗାରିଟା କହିଛନ୍ତି ଭୋଡାଫୋନର ଆଗାମୀ ସମୟରେ ନଗଦ ଅଭାବ ନେଇ ଅନୁମାନ କରୁଛି। ଚଳିତ ବର୍ଷ ୧.୫ ବିଲିୟନ ଡଲାର କମ୍ ହେବା ନେଇ ଅନୁମାନ କରାଯାଉଛି। ଡେଲା ବେଲେ କହିଛନ୍ତି ଯେଉଁ ଲୋକଙ୍କୁ ଗତ ମାସରେ ସ୍ଥାୟୀ ଭାବରେ ନିଯୁକ୍ତ କରାଯାଇଥିଲା ତାଙ୍କର ଏବଂ କମ୍ପାନିର ପ୍ରଦର୍ଶନ ଭଲ ନଥିଲା। ରିପୋର୍ଟ ଅନୁଯାୟୀ, ଡେଲା ବେଲେ କହିଛନ୍ତି ‘ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ଆମର ପ୍ରାଥମିକତା। ଏମିତିରେ ଟେଲିକମ ସେକ୍ଟର ରେସ୍ରେ ତିଷ୍ଠି ରହିବା ପାଇଁ ଜଟିଳାତାକୁ ଦୂର କରିବା ସହ ସଂଗଠନକୁ ସରଳ କରିବାର ଆବଶ୍ୟକତା ରହିଛି। ଏହି କାରଣରୁ ଚାକିରିରେ ଛଟେଇ ଆବଶ୍ୟକ ରହିଛି।’
ସୂଚନାଯୋଗ୍ୟ, ଭାରତ ସହ ଅନେକ ଦେଶରେ ଭୋଡାଫୋନ କାମ କରୁଛି। କମ୍ପାନିରେ ପ୍ରାୟ ୧ ଲକ୍ଷ ଲୋକ କାମ କରୁଛନ୍ତି। ତେବେ ୧୧ ହଜାର ଛଟେଇ କମ୍ପାନୀ ପାଇଁ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଛଟେଇ। ଭାରତରେ ଭୋଡାଫୋନ ଆଇଡିଆ ସହ ମିଶି ଟେଲିକମ ସେବା ଯୋଗାଇଥାଏ। ଭାରତରେ ବିଗତ ବର୍ଷମାନଙ୍କରେ କମ୍ପାନିର କାରବାରରେ ହ୍ରାସ ଦେଖିବାକୁ ମିଳିଛି। ବୈଶ୍ବିକ ସ୍ତରରେ ଏତେ ବଡ଼ ମାତ୍ରାରେ ଛଟେଇ କରୁଥିବା ଟେଲିକମ୍ ସେକ୍ଟରର ଏହାର ପ୍ରଥମ କମ୍ପାନୀ।