ନୂଆଦିଲ୍ଲୀ ୨୦।୭: ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ବଢୁଥିବା ବୈଶ୍ୱିକ ଉତ୍ତେଜନାରେ ଓ ଆମେରିକା-ନାଟୋର କଡ଼ା ବିରୋଧ ସତ୍ତ୍ୱେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଚଳତବର୍ଷ ଶେଷ ଆଡ଼କୁ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ ଭାରତ-ଋଷିଆ ବାର୍ଷିକ ଶିଖର ସମ୍ମିଳନୀକୁ ନେଇ ହେବ, ଯାହା ୨୦୨୧ ପରେ ପ୍ରଥମ ଥର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ପୁଟିନଙ୍କ ଏହି ଯାତ୍ରା ଏପରି ସମୟରେ ହେବ ଯେତେବେଳେ ଆମେରିକା ଓ ନାଟୋ ଋଷିଆ ଉପରେ କଟକଣା ବଢାଉଛନ୍ତି ଏବଂ ଭାରତ-ଋଷିଆ ଉର୍ଜା ସହଯୋଗର ପୁନର୍ବିଚାର ଲାଗି ଚାପ ପକାଉଛନ୍ତି।
ସୂତ୍ର ଅନୁସାରେ ଏହି ସମ୍ମିଳନୀ କାଳରେ ପ୍ରତିରକ୍ଷା ଉଦ୍ୟୋଗରେ ସହଯୋଗ, ଶକ୍ତି କ୍ଷେତ୍ରରେ ଭାଗିଦାରୀ, ପରମାଣୁ ଶକ୍ତି ସହଯୋଗ, ଆର୍କଟିକ୍ କ୍ଷେତ୍ରରେ ଭାରତର ଭୂମିକା ସମ୍ପ୍ରସାରଣ ଓ ହାଇ-ଟେକ୍ କ୍ଷେତ୍ରରେ ଯୁଗ୍ମ ରୋଡମ୍ୟାପ୍ ଭଳି କାମ ଉପରେ ଚର୍ଚ୍ଚା ହେବ। ନିକଟରେ ପୁଟିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁରୋଧରେ ଭାରତକୁ ଋଷିଆ ସାର ରପ୍ତାନୀ ବଢାଇଛି, ଯାହାଦ୍ୱାରା ଭାରତର ଖାଦ୍ୟ ସୁରକ୍ଷାକୁ ବଳ ମିଳିବ। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁବାର କହିଥିଲେ ଯେ ଭାରତ-ଋଷିଆ ଶିଖର ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଋଷିଆ ବିରୋଧରେ ପାଶ୍ଚାତ୍ୟ କଟକଣା ସତ୍ତ୍ୱେ ଋଷିଆ ସହିତ ତୈଳ କ୍ରୟ ଓ ପ୍ରତିରକ୍ଷା ଭାଗିଦାରୀ କାୟମ ରଖିଛି ଭାରତ । ଆମେରିକା ଚାହୁଁଛି ଋଷିଆଠୁ ଭାରତ ଦୂରତା ଅବଲମ୍ବନ କରୁ। ଖାସ କରି ଉଚ୍ଚ ଟେକନିକ୍ ଓ ସାମରିକ ମାମଲାରେ କୌଣସି ବାଣିଜ୍ୟ ନ କରୁ। ସେହିପରି ନାଟୋ ଦେଶମାନେ ଏଥିରୁ ଚିନ୍ତିତ ଯେ ଭାରତର ଏହି ରଣନୀତି ଜି-୭ ଓ ପାଶ୍ଚାତ୍ୟ ଜଗତର ରଣନୀତିକୁ ଦୁର୍ବଳ କରିପାରେ। ତେବେ ଭାରତ ସ୍ପଷ୍ଟରୂପେ କହିଛି ଯେ ଭାରତ ନିଜର ବୈଦେଶିକ ନୀତି ନିଜ ଅନୁସାରେ ପ୍ରସ୍ତୁତ କରେ। ଏଥିରେ ଋଷିଆ ଏକ ପୁରୁଣା ଓ ନିର୍ଭରଯୋଗ୍ୟ ସହଯୋଗୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଶେଷଥର ପାଇଁ ଅପରେଶନ ସିନ୍ଦୂର ପୂର୍ବରୁ କଥାବାର୍ତ୍ତା ହୋଇଥିଲା। ଆତଙ୍କବାଦ ବିରୋଧରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନକୁ ଋଷିଆ ସମର୍ଥନ କରିଥିଲା।ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଋଷୀୟ ନିର୍ମିତ ପ୍ରତିରକ୍ଷା ପ୍ରଣାଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଋଷୀୟ ଏସ୍-୪୦୦ ମିଜାଇଲ ପ୍ରତିରକ୍ଷା ପ୍ରଣାଳୀ ଓ ଭରତ-ଋଷିଆ ଯୁଗ୍ମ ବ୍ରହ୍ମୋସ ପ୍ରକଳ୍ପ ପାକିସ୍ତାନକୁ ଧୂଳି ଚଟାଇଥିଲା। ଏହି ପ୍ରଣାଳୀଗୁଡିକ ପାକିସ୍ତାନର ଚୀନ୍ ନିର୍ମିତ ସାମରିକ କ୍ଷମତାକୁ ଅନେକାଂଶରେ ନିଷ୍କ୍ରିୟ କରିଦେଇଥିଲା।
ଏଥିରେ ଯଦି ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦିଅନ୍ତି ସେଠାରେ ମଧ୍ଯ ତାଙ୍କର ପୁଟିନଙ୍କ ସହ ଅଲଗା ସାକ୍ଷାତ ଆଲୋଚନା ହୋଇପାରେ।