ଗିରଫ ହେବେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ? ମଙ୍ଗୋଲିଆ ଉପରେ ସାରା ବିଶ୍ବର ନଜର

Published By : Prameya-News7 Bureau | September 03, 2024 IST

ନୂଆଦିଲ୍ଲୀ: ବନ୍ଧା ହେବେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ? ମଙ୍ଗୋଲିଆରେ ତାଙ୍କୁ ମଙ୍ଗଳବାର ଗିରଫ କରାଯାଇପାରେ । ବିଜୟ ଦିବସ ପୂର୍ତ୍ତି ଅବସରରେ ଋଷ୍ ରାଷ୍ଟ୍ରପତି ମଙ୍ଗୋଲିଆରେ ପହଞ୍ଚିଛନ୍ତି । ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ଉପରେ ସୋଭିଏତ୍ ସେନା ଏବଂ ମଙ୍ଗୋଲିଆ ସେନା ମିଳିତ ଭାବେ ବିଜୟ ହାସଲ କରିଥିଲେ । ଏହି ବିଜୟ ଦିବସକୁ ୮୫ ବର୍ଷ ପୂରଣ ହେଉଥିବା ବେଳେ ଏହି ଅବସରରେ ଭ୍ଲାଦିମୀର ପୁଟିନ୍ ମଙ୍ଗୋଲିଆ ଗସ୍ତରେ ରହିଛନ୍ତି । ସୋମବାର ସଂଧ୍ୟାରେ ସେ ମଙ୍ଗୋଲିଆ ରାଜଧାନୀ ଉଲାନବଟାରରେ ପହଞ୍ଚିଛନ୍ତି । ପୁଟିନ୍ ପହଞ୍ଚିବା ପରେ ତାଙ୍କୁ ସେଠାରେ ଗିରଫ ପାଇଁ ଦାବି ହୋଇଛି । କାରଣ ମଙ୍ଗୋଲିଆ ଇଣ୍ଟର ନ୍ୟାସନାଲ କୋର୍ଟର ସଦସ୍ୟ ରହିଛି ଏବଂ ଆଇସିଜେ ପକ୍ଷରୁ ଭ୍ଲାଦିମୀର ପୁଟିନଙ୍କୁ ଗିରଫ କରିବା ଲାଗି ଓ୍ବାରେଣ୍ଟ ଜାରି ହୋଇଛି ।  

ଋଷ୍ ମିଡିଆ ସ୍ପୁତିନିକ୍ ଅନୁଯାୟୀ, ଭ୍ଲାଦିମୀର ପୁଟିନ୍ ମଙ୍ଗୋଲିଆରେ ୮୫ତମ ବିଜୟ ଦିବସ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଏହା ସହିତ ଋଷ୍-ମଙ୍ଗୋଲିଆ କନଫ୍ରେନ୍ସିଭ୍ ଷ୍ଟ୍ରଟେଜିକ୍ ପାର୍ଟନରସିପ୍ ସହିତ ଆଲୋଚନା କରି ଦୁଇ ଦେଶର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ଚେଷ୍ଟା କରିବେ । ୨୦୧୯ ପରେ ଋଷ୍ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ମଙ୍ଗୋଲିଆ ଗସ୍ତରେ ପହଞ୍ଚିଛନ୍ତି ।

ସୂଚନା ଅନୁଯାୟୀ, ଇଣ୍ଟର ନ୍ୟାସନାଲ କ୍ରିମିନାଲ କୋର୍ଟ ଚଳିତ ବର୍ଷ ମାର୍ଚ୍ଚ ମାସରେ ଭ୍ଲାଦିମୀର ପୁଟିନଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଥିଲେ । ଆଇସିସିର କହିବା ମୁତାବକ, ଯୁକ୍ରେନ ଯୁଦ୍ଧରେ ପୁଟିନଙ୍କ ବିରୋଧରେ ଅପରାଧର ଯଥେଷ୍ଟ ପ୍ରମାଣ ରହିଛି । ଇଣ୍ଟର ନ୍ୟାସନାଲ କ୍ରିମିନାଲ କୋର୍ଟ ନିଜ ରାୟରେ କହିଥିଲେ, ପୁଟିନଙ୍କ ନିର୍ଦ୍ଦେଶ ଋଷ୍ ସେନା ୟୁକ୍ରେନର ଆଶ୍ରୟସ୍ଥଳି ଏବଂ ବାଲଗୃହରୁ ଶତାଧିକ ଛୋଟ ପିଲାଙ୍କୁ ଅପହରଣ କରିଥିଲେ । ଯେଉଁ ମାନଙ୍କୁ ଋଷ ଲୋକେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ । ମାତ୍ର ଆଇସିସିର ଏହି ଅଭିଯୋଗକୁ ଖାରଜ୍ କରିଛି ଋଷ୍ । 

ଭ୍ଲାଦିମୀର ପୁଟିନ୍ ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ଦେଶ ଋଷର ରାଷ୍ଟ୍ରପତି । ଏଭଳି ସ୍ଥିତିରେ ଆଇସିସିର ଆଦେଶକୁ ମାନିବେ ବୋଲି ବିଶ୍ବାସ କରାଯାଉନାହିଁ । ଋଷ୍ ପ୍ରଥମରୁ ଇଣ୍ଟର ନ୍ୟାସନାଲ କ୍ରିମିନାଲ କୋର୍ଟକୁ ମାନ୍ୟତା ଦେଇନାହିଁ । ତେଣୁ ଋଷ୍ ଭିତରେ ପୁଟିନଙ୍କୁ ଗିରଫ କରିବା ଅସମ୍ଭବ । ଅନ୍ୟପଟେ ସେ ଦେଶରେ ନଥିବା ବେଳେ ତାଙ୍କ ବିରୋଧରେ ଏଭଲି ମକଦମା ଚଳାଇବା ସମ୍ଭବ ନୁହେଁ ବୋଲି କୁହାଯାଉଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.