ଉତ୍ତର ଭୁବନେଶ୍ବରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ

Published By : Prameya-News7 Bureau | May 17, 2024 IST

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର କ୍ରମେ ଶୁକ୍ରବାର ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଉତ୍ତର ଭୁବନେଶ୍ବର ବିଧାନସଭାମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ନିର୍ବାଚନ ମଣ୍ଡଳୀର ସାଲିଆସାହିଠାରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ।

ଏହି ଅବସରରେ ଭିକେ ପାଣ୍ଡିଆନ୍ କହିଛନ୍ତି ‘‘ ଅନ୍ୟ ରାଜନୈତିକ ନେତାମାନେ ଆପଣଙ୍କୁ ଭୋଟ ପାଇଁ ଏଠି ରଖିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସାଲିଆସାହିର ଭଲ ଚାହାନ୍ତି, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆପଣମାନଙ୍କ କଥା ଆଗ ଚିନ୍ତା କରିଥାନ୍ତି। ନବୀନ ବାବୁ ଭୋଟ ପାଇଁ କାମ କରନ୍ତି ନାହିଁ, ଆପଣମାନଙ୍କୁ ଭଲରେ ରଖିବାକୁ କାମ କରିଥାନ୍ତି। ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଆପଣମାନେ ତାଙ୍କ ହୃଦୟରେ ରହିଥିବେ।

ସେହିଭଳି ବିରୋଧୀ ନେତା ମାନଙ୍କୁ ପଚାରିବେ, ବିଜେପି ଦଳ କେଉଁ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେଇଛି କି  ?  ଘର ତିଆରି କରି ଦେଇଛି କି ? ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ। ବସ୍ତିବାସିନ୍ଦାଙ୍କୁ ସମ୍ମାନ ଦେବାରେ ଦେଶର ପ୍ରଥମ ନେତା ଆମ ନବୀନ ବାବୁ। ଆପଣମାନଙ୍କ କଠିନ ପରିଶ୍ରମ ଯୋଗୁ ଭୁବନେଶ୍ବର ଆଜି ଆଗକୁ ବଢୁଛି। ଆପଣମାନଙ୍କ ଜରିଆରେ ନୂଆ ଭୁବନେଶ୍ବର ଗଠନ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ। ତଳୁ ଫାଇଲ ଆସିଥିଲା ଆପଣଙ୍କୁ ବିସ୍ଥାପିତ କରି ଅନ୍ୟ ସ୍ଥାନରେ ଜାଗା ଦେବାପାଇଁ, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଲେ ଯେଉଁଠି ଅଛନ୍ତି ସେଠାରେ ପଟ୍ଟା ଦିଆଯାଉ। ବସ୍ତିରୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। 

ସେହିଭଳି ଏହି ଅବସରେ ସାଲିଆସାହି ପାଇଁ ପାନୀୟ ଜଳ, ସ୍କୁଲ ରୂପାନ୍ତରଣ ଭଳି ପ୍ରତିଶ୍ରୁତି ଦେଇଛନ୍ତି।ଆହୁରି ମଧ୍ୟ ପାଣ୍ଡିଆନ କହିଛନ୍ତି ‘‘ ମୁଁ ରାଜନୀତି ଜାଣିନି, କାମ କରିବା ଜାଣିଛି, ମୋ ଉପରେ ବିଶ୍ବାସ ରଖନ୍ତୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୁଲାଇରୁ ବିଜୁଳି ବିଲ୍‌ ଆସିବ ନାହିଁ, BSKYରେ ସମସ୍ତେ ସାମିଲ ହେବେ ଏବଂ ମିଶନ ଶକ୍ତି ମା ମାନେ ପେନ୍‌ସନ ପାଇବେ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.