ଜଟଣୀ: ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଜମୁଛି ବିଜେଡିର ପ୍ରଚାର। ଏହି କ୍ରମରେ ଶୁକ୍ରବାର ଜଟଣୀରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍। ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବାକୁ କରିଛନ୍ତି ଅନୁରୋଧ । ଏହା ସହ ଏହି ଅବସରରେ ଜଟଣୀବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ୫ଟି ଅଧ୍ୟକ୍ଷ।
ସେ କହିଛନ୍ତି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସମସ୍ୟା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସମାଧାନ କରିବେ। ନିର୍ବାଚନ ସମୟରେ ବିରୋଧୀମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ମିଛ କଥା ଓ ମିଠା କଥା କହୁଛନ୍ତି, ନିର୍ବାଚନ ସରିବା ପରେ ଏମାନଙ୍କୁ ଖୋଜିଲେ ମିଳିବେ ନାହିଁ। ଏବେକାର ସାଂସଦ ମଧ୍ୟ ସେହି ଗୋଷ୍ଠୀର, ସେ କେବେ ଆପଣଙ୍କ ପାଖକୁ ଆସିଛନ୍ତି କି ? ଆପଣଙ୍କ ସମସ୍ୟା ବୁଝିଛନ୍ତି କି?
ଆହୁରି ମଧ୍ୟ ବିଜୁ ଜନତା ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ସେ ଆପଣଙ୍କ ସୁଖଦୁଃଖରେ ରହିବେ। ଜୁନ ୯ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଛନ୍ତି ପାଣ୍ଡିଆନ।
ସେ ଆହୁରି କହିଛନ୍ତି ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ଛାଡ଼, ବସ୍ତି ଠାରୁ ଆରମ୍ଭ କରି ସହରବାସୀ ସମସ୍ତଙ୍କ ପାଇଁ, ଓଡ଼ିଶାର ୯୦ ପ୍ରତିଶତ ଲୋକ ଉପକୃତ ହେବେ। ଦ୍ବିତୀୟ ଦସ୍ତଖତ ହେବ ଆପଣମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସମସ୍ତଙ୍କୁ BSKY କାର୍ଡରେ ସାମିଲ କରାଯିବ। ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କର ୬୦ ବର୍ଷ ପରେ ପେନ୍ସନ ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ ।