ବିଶାଖାପାଟଣା ୦୭।୦୫: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବିଶାଖାପାଟଣା ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପୀଡିତଙ୍କ ଲାଗି କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିଜନଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅସୁସ୍ଥ ଥିବା ଲୋକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ। କ୍ଷତିପୂରଣ କମ୍ପାନୀ ପକ୍ଷରୁ ମୃତକଙ୍କ ପରିଜନକୁ ଦେବା ଲାଗି ସରକାର ଚେଷ୍ଟା କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି କ୍ଷତିପୂରଣରେ କିଛି କମ୍ ପଡିଲେ ସରକାରଙ୍କ ପକ୍ଷରୁ ଏହା ପୂରା କରାଯିବ। ସେ କହିଛନ୍ତି ଗ୍ୟାସ୍ ଲିକ୍ ହେବା ପରେ ଫ୍ୟାକ୍ଟ୍ରିରେ ସାଇରନ୍ ବାଜି ନାହିଁ। ଘଟଣା ସକାଳ ୩ଟା ୩୦ରୁ ୪ଟା ମଧ୍ୟରେ ଘଟିଛି। ୫ଟା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ।
{"id":266173,"sizeSlug":"large"}ମୁଖ୍ୟମନ୍ତ୍ରୀ କହିଛନ୍ତି, ଭେଣ୍ଟିଲେଟରରେ ରଖାଯାଇଥିବା ରୋଗୀଙ୍କୁ କ୍ଷତିପୂରଣ ଭାବେ ୧୦ ଲକ୍ଷ ଟଙ୍କା ଦିଆଯିବ। ଦୁର୍ଘଟଣାର ତଦନ୍ତ ଆଦେଶ ଦିଆଯାଇଛି। ଏହି ଘଟଣାରେ ଦାୟୀ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶାଖାପାଟଣା ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଜଗନ ଅସୁସ୍ଥ ଲୋକଙ୍କୁ ଭେଟିବାକୁ ହସ୍ପିଟାଲ ପହଞ୍ଚିଥିଲେ। ଏହା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ହସ୍ପିଟାଲରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ପୂରା ଘଟଣା ପଚାରି ବୁଝିଛନ୍ତି।
ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଆର.ଆର. ଭେଙ୍କଟପୁରମ ଗାଁରେ ଦକ୍ଷିଣ କୋରିଆର କମ୍ପାନୀ ଏଲଜିର ପଲିମର ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇଥିଲା। ବିଷାକ୍ତ ଗ୍ୟାସ୍ ପ୍ରଭାବରେ ଆସି ଅଦ୍ୟାବଧି ୧୧ ଜଣଙ୍କ ମୃତ୍ୟୁ ଘଟିଛି।