ଦିଲ୍ଲୀ ପୋଲିସ ଏସ୍ଆଇଙ୍କୁ ପିଟିପିଟି ମାରିଥିଲା ବଦମାସ, ଜାଣନ୍ତୁ ଧରାପଡିଲା କେମିତି
20/05/2019 at 5:50 PM

ନୂଆଦିଲ୍ଲୀ ୨୦।୫: ଦିଲ୍ଲୀ ପୋଲିସର ଏସଆଇ ରାଜକୁମାରଙ୍କ ହତ୍ୟାକାରୀ ଧରାପଡିଛି। ଗିରଫ ଅଭିଯୁକ୍ତ ଭୁରୀ ବୋଲି ପୋଲିସ ଚିହ୍ନଟ କରିଛି । ରାଜଧାନୀ ଦିଲ୍ଲୀର ବିଭିନ୍ନ ଥାନାରେ ଭୁରୀ ବିରୋଧରେ ଏକ ଡଜନରୁ ଅଧିକ ମାମଲା ରହିଛି । ନିକଟରେ ସେ ଜେଲରୁ ମୁକୁଳିଥିଲା। ଜେଲରୁ ବାହାରିବା ପରେ ପୁଣି ଅପରାଧରେ ଜଡିତ ହୋଇଯାଇଥିବା ବେଳେ କସ୍ତୁରବା ନଗର ଅଞ୍ଚଳରେ ପୋଲିସ କମ୍ୟୁନିକେସନ ବିଭାଗ ଏସଆଇ ରାଜକୁମାରଙ୍କୁ ହତ୍ୟା କରିଛି।

ଏସଆଇ ରାଜକୁମାରଙ୍କ ହତ୍ୟାକାରୀ ଧରାପଡିଥିବା ନେଇ ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କସ୍ତୁରବା ନଗର ଅଞ୍ଚଳରେ ପରିବାର ସହ ରହୁଥିବା ରାଜ କୁମାର ଖାଇବା ପରେ ରାତିରେ ଓ୍ବାକ କରିବାକୁ ଯାଇଥିଲେ। ତେବେ ଘରକୁ ଲହୁଲୁହାଣ ହୋଇ ଫେରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲାର ତଦନ୍ତ ଚଳାଯାଇଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଭୁରୀକୁ ପୁଣି ଗିରଫ କରାଯାଇଛି।

ଏସଆଇ ରାଜକୁମାର ହତ୍ୟାକାଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ମିଳିପାରି ନାହିଁ । ଏଣୁ ତାଙ୍କ ହତ୍ୟାର କାରଣ ଜଣାପଡିନଥିବା ବେଳେ ତେବେ ଘଟଣା ଦିନ ଅପରାଧୀ ଭୁରିର ଭିଡିଓ ରାଜକୁମାର କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ସୂଚନାରୁ ଜଣାପଡିଛି। ଘଟଣାକୁ ନେଇ ଭୁରିସହ ତାଙ୍କର ଝଗଡା ହୋଇଥିଲା। ହୁଏତ ଏହି କାରଣକୁ ନେଇ ଭୁରି ତାଙ୍କୁ ହତ୍ୟା କରିଥାଇ ପାରେ ବୋଲି ଆଶଙ୍କା କରାଯାଉଛି । ଅଞ୍ଚଳରେ ଅବୈଧ ନିଶା କାରବାର ହେଉଥିବା ସୂଚନା ମିଳିଛି । ତେବେ ନିକଟସ୍ଥ ବିବେକ ବିହାର ପୋଲିସ ଥାନା ଏଭଳି ବ୍ୟବସାୟ ଉପରେ ନଜର ରଖିଥିଲା। ତେବେ ଏ ନେଇ ରାଜକୁମାର କେବେ ବି ବିବେକ ବିହାର ଥାନାକୁ ଅଭିଯୋଗ କରିବାକୁ ଯାଇ ନଥିଲେ ବୋଲି କହିଛନ୍ତି ଡିସିପି ମେଘ୍ନା କହିଛନ୍ତି।