ବିମାନ ସେବା କ୍ଷେତ୍ରରେ ପୁଣି ଆଧିପତ୍ୟ ଜାରି କରିବ ଟାଟା, ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଲୀ, ୨୯/୧୧: ବିମାନ ସେବା କ୍ଷେତ୍ରରେ ପୁଣି ଆଧିପତ୍ୟ ଜାରି କରିବ ଟାଟା । କିଛିଦିନ ତଳେ ଏୟାର ଇଣ୍ଡିଆର ମାଲିକାନା ଅକ୍ତିଆର କରିଥିବା ବେଳେ ଏବେ ଏଥିରେ ଭିସ୍ତାରା ଏୟାରଲାଇନ୍ସକୁ ମିଶାଇବା ପାଇଁ ଟାଟା ଯୋଜନା ପ୍ରସ୍ତୁତ କରିଛି । ମାର୍ଚ୍ଚ ୨୦୨୪ରେ ଭିସ୍ତାରା ଏୟାର୍‌ ଲାଇନ୍‌, ଏୟାର ଇଣ୍ଡିଆ ସହିତ ମିଶିବା ନେଇ ସିଙ୍ଗାପୁର ଏୟାର ଲାଇନ୍‌ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି । ଟାଟା ସହିତ ମିଶି ସିଙ୍ଗାପୁର ଏୟାର୍‌ ଲାଇନ୍‌ ଭିସ୍ତାରାର କିଛି ସେୟାର ଅଧିଗ୍ରହଣ କରିଛି । ତେବେ ଭିସ୍ତାରା ଏୟାର ଇଣ୍ଡିଆ ସହ ମିଶିବା ପରେ ଏକ ବୃହତ୍‌ ଆଭିଏସନ୍‌ ୱିଙ୍ଗ୍‌ରେ ପରିଣତ ହେବ ।

ମିଳିଥିବା ସୂଚନା ଅନୁସାରେ ସିଙ୍ଗାପୁର ଏୟାରଲାଇନ୍ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ଭିସ୍ତାରାର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି । ଯାହାକି ପାଖାପାଖି ୨ ହଜାର କୋଟି ଟଙ୍କା ଡିଲ୍‌ରୁ ଅଧିକ ହେବ । ବର୍ତ୍ତମାନ ସିଙ୍ଗାପୁର ଏୟାର ଲାଇନ୍‌ସ ପାଖରେ ଭିସ୍ତାରାର ୪୯ ପ୍ରତିଶତ ସେୟାର ରହିଥିବା ବେଳେ ୫୧ ପ୍ରତିଶତ ଟାଟା ନିକଟରେ ରହିଛି । ନିୟାମକଙ୍କ ଅନୁମତି ପରେ ଏହା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ମିଶିବା ନେଇ ଏହି ରିଲିଜ୍‌ରୁ ଜଣାପଡ଼ିଛି ।      

ଅନ୍ୟପଟେ ଟାଟା ସନ୍ସ ହାତରେ କମ୍‌ ଖର୍ଚ୍ଚରେ ବିମାନ ସେବା ପ୍ରଦାନ କରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଏବଂ ଏୟାର ଏସିଆର ମାଲିକାନା ମଧ୍ୟ ରହିଛି । ଏହି ଦୁଇ ବିମାନ ସେବା ପ୍ରଦାନକାରୀ କମ୍ପାନୀକୁ ୨୦୨୪ରେ ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନକୁ ଆଣିବା ନେଇ ମଧ୍ୟ ଜଣାପଡ଼ିଛି । ଅର୍ଥାତ ୨୦୨୪ରେ ୪ଟି ବ୍ରାଣ୍ଡ୍‌ ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନରେ ରହିବେ । ୧୧୩ଟି ବିମାନକୁ ନେଇ ସେବା ପ୍ରଦାନ କରୁଥିବା ଟାଟା ଆଗାମୀ ୫ ବର୍ଷ ଭିତରେ ଏହାର ତିନିଗୁଣା ବୃଦ୍ଧି କରିବା ନେଇ କମ୍ପାନୀର ମୁଖ୍ୟ ପରିଚାଳକ ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.