ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ବୁଡ଼ି ଯାଇ ପର୍ଯ୍ୟଟକ ମୃତ
20/12/2022 at 4:25 PM

ପୁରୀ, ୨୦/୧୨: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତ ପର୍ଯ୍ୟଟକ ହେଉଛନ୍ତି ଛତିଶଗଡ଼ ବିଳାସପୁର ଅଞ୍ଚଳର ପ୍ରାଞ୍ଜଳ ଶ୍ରୀବସ୍। ଚକ୍ରତୀର୍ଥ ଅଞ୍ଚଳ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ବୁଡ଼ି ଯାଇଥିଲେ ପ୍ରାଞ୍ଜଳ। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଥଉକି ଗତ ମାସ ୧୭ ତାରିଖରେ ଗୋଆଲିୟର ବାଦେରା ଅଞ୍ଚଳର ପର୍ଯ୍ୟଟକ ରଘୁବେନ୍ଦ୍ର ଗୁରୁଦାରଙ୍କ ପୁରୀ ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିଲା। ଗୁରୁଦାର ତାଙ୍କ ମାମୁଁଙ୍କ ସହ ବଳିଆପଣ୍ତା ଅଞ୍ଚଳରେ ଥିବା ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖରେ ଗାଧୋଉ ଥିଲେ। ଗଭୀର ସମୁଦ୍ର ଭିତରକୁ ପଶିଯିବାରୁ ତାଙ୍କର ପତ୍ତା ମିଳିନଥିଲା। ସେଠାରେ ଥିବା ଲାଇଫ୍ ଗାର୍ଡ଼ ମାନେ ସମୁଦ୍ର ଭିତରକୁ ଯାଇ ଗୁରୁଦାରଙ୍କୁ କୂଳକୁ ଆଣିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ ସେପ୍ଟେମ୍ୱର ମାସରେ ମଧ୍ୟ ଜଣେ ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ପୁରୀ ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିଲା ।