ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା : ଜାଣନ୍ତୁ ଆବିର୍ଭାବର କାହାଣୀ

Published By : Prameya-News7 Bureau | September 17, 2018 IST

ହିନ୍ଦୁ ଧର୍ମର ୩୩କୋଟି ଦେବଦେବୀ । ତା ମଧ୍ୟରୁ ବିଶ୍ବକର୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଅଂଶ । ତାଙ୍କୁ ଦେବଶିଳ୍ପୀ ଏବଂ ସୃଜନର ପ୍ରତୀକ ବୋଲି କୁହାଯାଏ । ଆଜି ଦେବଶିଳ୍ପୀଙ୍କ ପୂଜନ ଦିବସ । ସମଗ୍ର ବିଶ୍ବର ନିର୍ମାତା ବିଶ୍ବକର୍ମା । ସେଥିପାଇଁ କୃତଜ୍ଞ ମାନବ ସମାଜ ଆଜି ତାଙ୍କ ଚରଣାରବିନ୍ଦରେ ଭକ୍ତି ଅର୍ପଣ କରି ଦେବଶିଳ୍ପୀଙ୍କୁ କହେ “ହେ ମହାନ ସ୍ରଷ୍ଟା ସୁନ୍ଦର ଭାବେ ଗଢିଦିଅ ଏ ସୃଷ୍ଟିକୁ ଆହୁରି ସୁନ୍ଦର କରିଦିଅ ।” ବିଶ୍ବକର୍ମା ହେଉଛନ୍ତି ବୈଦିକ ଦେବତା । ଋଗବେଦ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ବିଶ୍ବର ଦୈବୀଯନ୍ତ୍ରୀ । ଉପନିଷେଦରେ ବର୍ଣ୍ଣିତ ‘ବ୍ରାହ୍ମଣ’ ଏବଂ ‘ପୁରୁଷ’ ଚିନ୍ତାଧାରାର ପ୍ରବର୍ତ୍ତକ ମଧ୍ୟ ହେଉଛନ୍ତି ବିଶ୍ବକର୍ମା । ପୌରାଣିକ କଥା ଅନୁସାରେ ସେ କାଶ୍ୟପ ଏବଂ ଦେବମାତା ଅଦିତିଙ୍କ ପୁତ୍ର । ଆଉ ଏକ ମତବାଦ ଅନୁସାରେ ସେ ସ୍ବୟଂଭୂ । ଅର୍ଥାତ୍ ନିଜେ ନିଜେ ଉତ୍ପନ ହୋଇଛନ୍ତି ବିଶ୍ବ ନିୟନ୍ତାକଙ୍କ ଇଚ୍ଛାରେ । ତାଙ୍କର କେହି ପିତାମାତା ନାହାନ୍ତି । ସେ ହେଉଛନ୍ତି ତିନି ଆଦି ଦେବତା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ସୃଜନ ଶକ୍ତିର ସମ୍ନିଳିତ ଅଭିବ୍ୟକ୍ତି । ବିଶ୍ବକର୍ମାଙ୍କ ବାହାନ ହେଉଛନ୍ତି ହଂସ । ତାଙ୍କ ଆୟୁଧ ହେଉଛି ମାପଦଣ୍ଡ । ଋଷିପଞ୍ଚମୀ ହେଉଛି ତାଙ୍କ ପୂଜନ ଦିବସ । ଅନ୍ୟ ଏକ ପୌରାଣିକ କାହାଣୀ ଅନୁସାରେ ବିଶ୍ବକର୍ମାଙ୍କ ପିତା ହେଉଛନ୍ତି ପ୍ରଭାସ ଏବଂ ମାତା ହେଉଛନ୍ତି ଯୋଗସିଦ୍ଧା । ପିତା ପ୍ରଭାସ ଜଣେ ବସୁ । ବିଶ୍ବକର୍ମାଙ୍କ ପତ୍ନୀ ହେଉଛନ୍ତି ରଚନା । ତାଙ୍କର ଅବତାର ହେଉଛନ୍ତି ତୁଷ୍ଟି । ପ୍ରଭୁ ରାମଚନ୍ଦ୍ରଙ୍କ ବାନରସେନାରେ ଥିବା ବାନର ନଳ ମଧ୍ୟ ତାଙ୍କର ଅଂଶ ଅବତାର ବୋଲି କୁହାଯାଏ । ସମୁଦ୍ର ମଧ୍ୟରେ ସେତୁ ବନ୍ଧ ବାନ୍ଧିବାରେ ନଳ ଥିଲେ ମୁଖ୍ୟଯନ୍ତ୍ରୀ । ଦେବତାମାନଙ୍କ ବିମାନ, ରଥ, ଆୟୁଧ ଏବଂ ଅସ୍ତ୍ରର ନିର୍ମାତା ହେଉଛନ୍ତି ବିଶ୍ବକର୍ମା । ଦଧିଚିଙ୍କ ଅସ୍ତୀରୁ ସେ ଇନ୍ଦ୍ରଙ୍କ ପାଇଁ ‘ବଜ୍ର’ ଅସ୍ତ୍ର ତିଆରି କରିଥିବା ପୁରାଣରେ ବର୍ଣ୍ଣିତ । ସତ୍ୟ ଯୁଗରେ ସେ ସ୍ବର୍ଗଲୋକ ନିର୍ମାଣ କରିଥିବାବେଳେ ତ୍ରେତା ଯୁଗରେ ସ୍ବର୍ଣ୍ଣଲଙ୍କା, ଦ୍ବାପର ଯୁଗରେ ଦ୍ବାରିକା, କଳିଯୁଗର ଆରମ୍ଭରେ ହସ୍ତିନା ଏବଂ ଇନ୍ଦ୍ରପ୍ରସ୍ତ ନିର୍ମାଣ କରିଥିବା କୁହାଯାଏ । କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଏବଂ ନିର୍ମାଣର ଦେବତା ବିଶ୍ବକର୍ମାଙ୍କୁ ସମଗ୍ର ଭାରତ ଏବଂ ନେପାଳରେ ପୂଜା କରାଯାଏ । ମୁଖ୍ୟତଃ ଉପରୋକ୍ତ ବୃତ୍ତିଧାରୀମାନେ ତାଙ୍କ ମୃଣ୍ମୟ ପୂଜାକୁ ମହା ଆଡମ୍ବର ସହକାରେ ପାଳନ କରୁଥିଲେ ମଧ୍ୟ ବୈଦିକ ଦେବତା ହିସାବରେ ମନ୍ଦିରରେ ମଧ୍ୟ ତାଙ୍କର ପୂଜା ଅନୁଷ୍ଠିତ ହୁଏ । ଅନେକ ପୂରାଣ ଓ କାହାଣୀରେ ବିଶ୍ବକର୍ମାଙ୍କ ସଂପର୍କରେ ଭିନ୍ନ ଭିନ୍ନ କଥା କୁହାଯାଇଥିଲେ ମଧ୍ୟ ଦେବାସୁର ସଂଗ୍ରାମ ପରେ ଅନୁଷ୍ଠିତ ସମୁଦ୍ର ମନ୍ଥନରୁ ତାଙ୍କର ଆବିର୍ଭାବ ହୋଇଥିବା ମଧ୍ୟ କେହି କେହି କହନ୍ତି । ସମୁଦ୍ର ମନ୍ଥନରୁ ମା’ ଲକ୍ଷ୍ମୀଙ୍କର ଆବିର୍ଭାବ ହୋଇଥିଲା । ମିଳିଥିଲା ମଧ୍ୟ ଅମୃତ, ଉଚୈଶ୍ରବା ଅଶ୍ବ, ପାରିଜାତ ପୁଷ୍ପ, କୌସ୍ତୁଭ ମଣି ଭଳି ବହୁ ଦୁର୍ଲଭ ଜିନିଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.