କରୋନା ଯୋଦ୍ଧାଙ୍କ ଉପରେ ଫୁଲ ବର୍ଷା, ବିଶାଳ ଦଦଲାନୀଙ୍କ କଟୁ ମନ୍ତବ୍ୟ- ସେନା ହୋଇଗଲେ ସରକାରଙ୍କ PR
3/05/2020 at 6:36 PM

ନୂଆଦିଲ୍ଲୀ ୦୩।୦୫: କରୋନା ଭାଇରସ୍କୁ କାବୁ କରିବାକୁ ସରକାର କ୍ରମାଗତ ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ବଡ ସଫଳତା ମିଳିନାହିଁ। କରୋନା ବିପଦକୁ ଦେଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକ୍ଡାଉନ୍ ଅବଧିକୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସରକାରଙ୍କ ବ୍ୟତୀତ ସ୍ଵାସ୍ଥ୍ୟକର୍ମୀ ମଧ୍ୟ ଆଗରେ ରହି ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ଅହରାତ୍ର ଚେଷ୍ଟା ଚଳାଇଛନ୍ତି।
ସ୍ଵାସ୍ଥ୍ୟକର୍ମୀଙ୍କୁ ଆହୁରି ଉତ୍ସାହିତ କରିବା ଏବଂ ସେମାନଙ୍କୁ କୃତଜ୍ଞତା ଜଣାଇବା ଲାଗି ଭାରତୀୟ ସେନା କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ହସ୍ପିଟାଲ ଉପରେ ପୁଷ୍ପ ବର୍ଷା କରିବାକୁ ନିର୍ଣ୍ଣୟ ନେଇଥିଲେ। ରବିବାର ସକାଳେ ଦେଶର ସମସ୍ତ ହସ୍ପିଟାଲ ଉପରେ ଭାରତୀୟ ବାୟୁସେନା ଫୁଲ ବର୍ଷା କରିଛି। ଏବେ ଏହା ଉପରେ ବଲିଉଡ ଗାୟକ ବିଶାଳ ଦଦଲାନୀଙ୍କ ପ୍ରତିକ୍ରିୟା ଆସିଛି। ବିଶାଳ ଏହି କାମ ନେଇ ସରକାରଙ୍କ ଉପରେ ନିଜର କ୍ରୋଧ ପ୍ରକଟ୍ କରିଛନ୍ତି।
ବିଶାଲ ଟୁଇଟ୍ କରି ଲେଖିଛନ୍ତି ଯେ, ଡାକ୍ତରଙ୍କ ଉତ୍ସାହକୁ ସଲାମ କରି ଲଢୁଆ ବିମାନ ଉଡାଣ ଭରିଲେ। କିନ୍ତୁ ଅନ୍ୟପଟେ ପିପିଇ କିଟ୍ ଅଭାବ ଥିବା କହିଲେ ଡାକ୍ତରଙ୍କୁ ସସ୍ପେଣ୍ଡ କରାଯାଉଛି। ଏବେ ଆମର ଦମଦାର ସେନା ସରକାରଙ୍କ ପିଆର ପାଲଟିଗଲେ। ଦିନ ମଜୁରିଆଙ୍କୁ ଘରକୁ ଯିବା ପାଇଁ ଭଡା ଦେବାକୁ ପଡୁଛି ଏବଂ ଆମ ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ଅନ୍ୟ କାମ ଉପରେ ଖର୍ଚ୍ଚ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ଵତ ଶୁକ୍ରବାର ଏହା ଘୋଷଣା କରିଥିଲେ ଯେ, ସେନାର ତିନି ବିଭାଗ କୋଭିଡ୍-୧୯ ହସ୍ପିଟାଲ ଉପରେ ପୁଷ୍ପ ବର୍ଷା କରିବେ, ମାଉଣ୍ଟେନ୍ ବ୍ୟାଣ୍ଡ ପ୍ରଦର୍ଶନ କରି କରୋନା ଯୋଦ୍ଧାଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇବେ।