ଗୀତଞ୍ଜଳୀ ଆପାର୍ଟମେଣ୍ଟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା-ଭିସେରା ରିପୋର୍ଟ ଖୋଲିବ ରହସ୍ୟ
23/02/2020 at 8:52 PM

ଭୁବନେଶ୍ୱର ୨୩।୦୨ – ଭୁବନେଶ୍ବର ବିଜେବି ନଗର ଗୀତଂଜଳି ଆପାର୍ଟମେଣ୍ଟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ନେଇ ରହସ୍ୟ ବଢିବାରେ ଲାଗିଛି। ରହସ୍ୟ ଉପରୁ ପରଦା ଉଠାଇବା ପାଇଁ କମିଶନରେଟ ପୋଲିସ ମଧ୍ୟ ଚାଳାଇଛି ଉଦ୍ୟମ । ପ୍ରଥମେ ପୋଷ୍ଟମର୍ଟମ ପରେ ଏବେ ଭିସେରା ରିପୋର୍ଟ ପାଇଁ ପଠାଇଛି ପୋଲିସ । ଭିସେରା ରିପୋର୍ଟ ଆସିବା ପରେ ଛାତ୍ରୀଙ୍କ ମୃତ୍ୟୁର ଅସଲ କାରଣ ପଦାକୁ ଆସିବ ବୋଲି ଆଶା କରାଯାଉଛି । ସେପଟେ ପୋଲିସ କେବଳ ମୃତ୍ୟୁର ଅପରାଧ ଦିଗକୁ ନ ଦେଖି ଏହା ପଛରେ ଥିବା କାରଣ ଖୋଜିଲେ ଅସଲ କାରଣ ପଦାକୁ ଆସିବ ବୋଲି ମତ ପ୍ରକାଶ କରିଛନ୍ତି ମନସ୍ତତ୍ବିକ।

ଭିସେରା ରିପୋର୍ଟ ଖୋଲିବ ମୃତ୍ୟୁ ରହସ୍ୟ । ଭୁବନେଶ୍ବର ବିଜେବି ନଗର ଗୀତଂଜଳି ଆପାର୍ଟମେଣ୍ଟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ମୃତାଙ୍କ ଭିସେରାକୁ ଅଧିକ ତଦନ୍ତ ପାଇଁ ପଠାଇଛି ପୋଲିସ। ଘଟଣାକୁ ପ୍ରାୟ ସପ୍ତାହେ ବିତିବାକୁ ବସିଥିବା ବେଳେ ଛାତ୍ରୀଜଣକଙ୍କ ଛାତରୁ ପଡି ମୃତ୍ୟୁ ଘଟିଛି ନା ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି ତାହା ବାହାର କରିପାରିନି ପୋଲିସ । ଏଥିପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟରେ ମୁଣ୍ଡରେ ଆଘାତ ଓ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିବା କଥା ପଦାକୁ ଆସିଥିଲା । ହେଲେ ଏହି ରିପୋର୍ଟକୁ ସହଜରେ ଗ୍ରହଣ କରିପାରୁନାହିଁ ପୋଲିସ। ଏଥିପାଇଁ ଅଧିକ ତଦନ୍ତ ପାଇଁ ଛାତ୍ରୀଙ୍କ ଭିସେରାକୁ ଅଧିକ ତଦନ୍ତ ପାଇଁ ରାଜ୍ୟ ଫରେନସିକ୍ ଲାବକୁ ପଠାଯାଇଛି । ଭିସେରା ରିପୋର୍ଟ ଆସିବା ପରେ ଛାତ୍ରୀ ବିଷପାନ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ଅନ୍ୟ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ଭଳି ପୋଲିସ ଘଟଣାକୁ ହାଲୁକା ଭାବେ ନ ନେଇ ଭିସେରା ରିପୋର୍ଟକୁ ସେଭଳି ଗୁରୁତର ସହ ନେବା ଉଚିତ ବୋଲି କହିଛନ୍ତି ବିଶେଷଜ୍ଞ ।

ଛାତ୍ରୀଜଣକଙ୍କ ମୃତ୍ୟ ପୂର୍ବରୁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିଲେ । ତାଙ୍କ ଇନଷ୍ଟାଗ୍ରାମରେ ସେ ଯେଭଳି ପୋଷ୍ଟ କରିଥିଲେ ତାହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ଇନଷ୍ଟା ଗ୍ରାମ ପୋଷ୍ଟରୁ ଛାତ୍ରୀଜଣକ ମାନସିକ ଦୁଃଚିନ୍ତାରେ ଥିବା ଜଣାପଡିଥିଲା।

ମୃତ୍ୟୁ ବେଳକୁ ଛାତ୍ରୀଙ୍କ ମଥାରେ ଇଂରାଜୀରେ ଲେଖା ହୋଇଥିବା ‘ପରଫେକ୍ଟ’ ଶବ୍ଦକୁ ନେଇ ପୋଲିସ ମଧ୍ୟ ଦ୍ବନ୍ଦରେ ରହିଥିଲା। ହେଲେ ସେ ସବୁ ପୋଷ୍ଟ କିମ୍ବା ଲେଖାକୁ ପୋଲିସ ସେତିକି ଗୁରୁତ୍ବ ଦେଉନଥିବା ମନସ୍ତତ୍ବବିତଙ୍କୁ ଚକିତ କରିଛି। ପୋଲିସ ଅପରାଧିକ ଦିଗ ସହ ମାନସିକ ଦିଗକୁ ନେଇ ତଦନ୍ତ କଲେ ଏହା ପଛରେ ଥିବା ଅନେକ କାରଣ ପଦାକୁ ଆସିବ ବୋଲି ମନସ୍ତତ୍ବବିତ ଆଶା ପ୍ରକାଶ କରିଛନ୍ତି ।

ଗତ ରବିବାର ସନ୍ଧ୍ୟାରେ ଖେଳୁଥିବା ଅବସ୍ଥାରେ ଛାତରୁ ପଡି ଘଟିଥିଲା ଛାତ୍ରୀଙ୍କ ମୃତ୍ୟୁ । ମୃତ୍ୟୁ ପରେ ଛାତ୍ରୀ ଜଣକ ଛାଡିଯାଇଛନ୍ତି ଅନେକ ଅସମାହିତ ପ୍ରଶ୍ନ । ଲାଗୁଥିଲା ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଛାତ୍ରୀ ଜଣକ ଅନେକ ପୂର୍ବରୁ ସେ ଜାଣିସାରିଥିଲେ ଯେ ତାଙ୍କ ମୃତ୍ୟୁ ହେବାକୁ ଯାଉଛି । ତାଙ୍କ ସାଙ୍ଗମାନଙ୍କ ସହ କଥାହେବା ବେଳେ ଏଭଳି କିଛି ହିଣ୍ଟ ଦେଇଚାଲିଥିଲେ ସେ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା କିଛି ଲେଖାରୁ ଏଭଳି କିଛି ଲେଖା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ପୋଷ୍ଟରେ ସେ ନେଗେଟିଭ ପୋଷ୍ଟ ମଧ୍ୟ କରାଯାଉଥିଲା ଯେଉଁଥିରୁ ଲାଗୁଥିଲା ତାଙ୍କ ମାନସିକ ସ୍ଥିତି ଠିକ ନାହିଁ । ବଡଗଡ ଥାନା ପୋଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ ଏବେ ସେହି ଭିସେରା ରିପୋର୍ଟକୁ ହିଁ ରହିଛି ଅପେକ୍ଷା ।