ଏଥର ବଡ଼ଓଷାରେ ଭର୍ଚୁଆଲ୍‌ରେ ହେବ ଧବଳେଶ୍ୱର ଦର୍ଶନ

Published By : Prameya-News7 Bureau | November 03, 2022 IST

ଆଠଗଡ଼ ୦୨/୧୧: ଚଳିତ ବର୍ଷ ବାବା ଧବଳେଶ୍ବରଙ୍କ ପଞ୍ଚୁକ ଓ ବଡ଼ଓଷାରେ ଭର୍ଚୁଆଲରେ ହେବ ମହାଦେବଙ୍କ ଦର୍ଶନ। ଧବଳେଶ୍ୱରରେ ଝୁଲା ପୋଲର ଅବସ୍ଥା ତଦାରଖ କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟୀନି।ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିବା ସହ ପୀଠ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ପଞ୍ଚୁକ ଓ ବଡ଼ ଓଷାରେ ଧବଳେଶ୍ୱର ମହାଦେବଙ୍କ ଦର୍ଶନକୁ ନେଇ ସେ ବୈଠକ ମଧ୍ୟ କରିଥିଲେ। ବୈଠକରେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଝୁଲା ପୋଲ ଦୁର୍ବଳ ଥିବାରୁ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଛି।

ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ବଡ଼ ଓଷାରେ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହେବା ସହ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ବ୍ରତଧରୀଙ୍କ ଭିଡ଼ ଲାଗେ। ଏହି ସମୟରେ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲରେ ମଧ୍ୟ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ଅଛି। ତେବେ କୌଣସି ଅଘଟଣକୁ ରୋକିବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଅନ୍ୟପଟେ ନୀତିକାନ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂଜକ ସମିତି ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.