ତୃତୀୟ ଟି-୨୦ ଖେଳିବେ ନାହିଁ ବିରାଟ କୋହଲି, ସିରିଜ୍ ମଝିରେ ମୁମ୍ବାଇ ଅଭିମୁଖେ ବାହାରିଲେ

Published By : Prameya-News7 Bureau | October 03, 2022 IST

ମୁମ୍ବାଇ: ଭାରତର ତାରକା ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଙ୍ଗଳବାର ଇନ୍ଦୋରରେ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-୨୦  ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଛି। ଭାରତ ରବିବାର ଗୌହାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ଜିତିବା ପରେ କୋହଲି ସୋମବାର ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। କୋହଲିଙ୍କୁ ଅନ୍ତିମ ଟି-୨୦ରେ ବିଶ୍ରାମ ଦିଆଯାଇଥିବା ବିସିସିଅଇର ଜଣେ ଅଧିକାରୀ କହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ମ୍ୟାଚ୍‌ ପରେ ଭାରତୀୟ ଦଳ ମୁମ୍ବାଇ ଯାତ୍ରା କରିବ। ଏଠାରେ ହିଁ କୋହଲି ଦଳ ସହ ଯୋଗ ଦେବେ। ଭାରତୀୟ ଦଳ ଟି-୨୦ ବିଶ୍ଵ କପ୍ ପାଇଁ ଅକ୍ଟୋବର ୬ରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ।

ପୂର୍ବତନ ଭାରତୀୟ ଅଧିନାୟକ ରବିବାର ୨୮ ବଲ୍‌ରେ ଅପରାଜିତ ୪୯ ରନର ଇନିଂସ ଖେଳିଥିଲେ। ଭାରତ ୧୬ ରନରେ ଦ୍ଵିତୀୟ ଟି-୨୦ ଜିତି ସିରିଜ୍ ନିଜ ନାମରେ କରିଛି। ଏହା ପୂର୍ବରୁ କୋହଲିଙ୍କୁ ଶେଷ ଥର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ କ୍ୟାରବିଆଇ ଦେଶରେ ଖେଳାଯାଇଥିବା ଦିନିକିଆ ଏବଂ ଟି-୨୦ ସିରିଜ୍‌ରୁ ବିଶ୍ରାମ ଦିଆଯାଇଥିଲା। ସେହି ସମୟରେ ବିସିସିଆଇର ନିଷ୍ପତ୍ତି ଉପରେ ପଶ୍ନ ଉଠିଥିଲା।

ଏହା ପରେ କୋହଲି ସ୍ଵୀକାର କରିଥିଲେ ଯେ, ବିଶ୍ରାମ ସମୟରେ ସେ ବ୍ୟାଟ୍ ତିଳେ ହେଲେ ଛୁଇଁ ନାହାନ୍ତି। ବିଶ୍ରାମ ପରେ କୋହଲି ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି।  ଏସିଆ କପ୍‌ରେ ଦମଦାର ବ୍ୟାଟିଂ କରିବା ସହିତ ପ୍ରାୟ ତିନି ବର୍ଷ ପରେ ବହୁ ପ୍ରତୀକ୍ଷିତ ୭୧ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ଏବେ ଦୀପକ ହୁଡ୍ଡା ଆହତ ହେବା କାରଣରୁ ଦଳରେ ସାମିଲ୍ ଶ୍ରେୟସ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ।  ଏସିଆ କପ୍‌ଠୁ ନେଇ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ମ୍ୟାଚ୍ ପର୍ଯ୍ୟନ୍ତ  କୋହଲି ୧୦ଟି ଇନିଂସରେ ୪୦୪ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୧.୭୫ ରହିଛି। ଏଥିରେ ତିନି ଅର୍ଦ୍ଧଶତକ ଏବଂ  ଗୋଟିଏ ଶତକ ସାମିଲ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.