ଆଇସିସି ଫର୍ମାଟରେ କିଙ୍ଗ୍‌ କୋହଲିଙ୍କ ଦବ୍‌ଦବା, ଜାଣନ୍ତୁ ବିରାଟଙ୍କ ବଡ ରେକର୍ଡ...

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ ୦୪।୦୭: କିଙ୍ଗ୍‌ କୋହଲି । ବିଶ୍ବ କ୍ରିକେଟର ନଂ-୧ ବ୍ୟାଟର । ଆଇସିସି ଇତିହାସରେ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । ଟି-୨୦ ଓ୍ବାର୍ଲ୍ଡକପରେ ଭାରତ ବିଶ୍ବ ଚାମ୍ପିଅନ୍‌ ହେବାରେ ରହିଛି କୋହଲିଙ୍କ ବଡ ଅବଦାନ । ଆନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । ଆସନ୍ତୁ ଜାଣିବା କୋହଲିଙ୍କ ଟି-୨୦ ରେକର୍ଡ ବିଷୟରେ…

କୋହଲି ଟି-୨୦ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆଓ୍ବାର୍ଡ ପାଇଥିବା ଖେଳାଳୀ । ସେ ଟି-୨୦ ବିଶ୍ୱକପରେ ୮ ଥର ଜିତିଛନ୍ତି ଏହି ଆଓ୍ବାର୍ଡ । କିଙ୍ଗ୍ କୋହଲିଙ୍କର ଟି-୨୦ ବିଶ୍ବକପ୍‌ରେ ୬୭.୧୦ ଆଭରେଜ୍‌ ରହିଛି । ଏହି ଫର୍ମାଟରେ ଦ୍ବିତୀୟ ନଂରେ ବ୍ୟାଟିଂ କରି ୫୦୦ରୁ ଅଧିକ ରନ୍‌ କରିଥିବା ପ୍ଲେୟରଙ୍କ ମଧ୍ୟରେ ଆଗରେ ରହିଛନ୍ତି କୋହଲି ।  

ଟି-୨୦ ଫର୍ମାଟରେ କ୍ୟାପଟେନ୍‌ ଭାବେ ବିରାଟ କୋହଲି ୪୭.୫୭ ଆଭରେଜ୍‌ରେ ରନ୍‌ ସ୍କୋର୍‌ କରିଥିଲେ । ଯାହା ୧ହଜାର ରନ୍ ସ୍କୋର କରିଥିବା ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ । ଏଥିସହ ବିରାଟ ଟି-୨୦ ବିଶ୍ୱକପରେ ୨ଥର ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟର ଆଓ୍ବାର୍ଡ ନିଜ ନାଁରେ କରିଛନ୍ତି । ଏପରି କରିବାରେ ସେ ହେଉଛନ୍ତି ବିଶ୍ବର ଏକମାତ୍ର ପ୍ଲେୟର । 

ଏହାବ୍ୟତୀତ ବିରାଟ ଟି-୨୦ ବିଶ୍ୱକପର ୩୫ଟି ମ୍ୟାଚରେ ୧୨୯୨ ରନ୍ ସଂଗ୍ରହ କରିଛନ୍ତି । ଯାହା ଏହି ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ରନ୍‌ । ବିରାଟ କୋହଲି ତାଙ୍କ ଟି-୨୦ କ୍ୟାରିୟରରେ ୧୬ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ର ଆଓ୍ବାର୍ଡ ପାଇଛନ୍ତି । ବର୍ତ୍ତମାନ ଯାଏଁ ତାଙ୍କ ସମକକ୍ଷ କୌଣସି ପ୍ଲେୟର ହୋଇ ପାରିନାହାନ୍ତି । ଅନ୍ୟପଟେ ଟି-୨୦ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟରଙ୍କ ତାଲିକାରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି । କିଙ୍ଗ୍‌କୋହଲି ୨୧ ଟି ମ୍ୟାଚ୍ ଖେଳି ୪୧୮୮ ରନ୍ ନିଜ ନାଁରେ କରିଛନ୍ତି । 

ଟି-୨୦ ବିଶ୍ବକପ୍‌ ୨୦୨୪ର ଟ୍ରଫି ହାତେଇବା ପରେ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି । ସେ ବିଶ୍ୱର ଏକମାତ୍ର ଖେଳାଳି ଯିଏକି ଆଇସିସିର ସମସ୍ତ ହ୍ବାଇଟ୍‌ ବଲ୍ କ୍ରିକେଟ୍ ଟ୍ରଫି ଜିତିଛନ୍ତି । ବାସ୍ତବରେ ୪ଟି ଆଇସିସି ହ୍ବାଇଟ୍‌ ବଲ୍‌ ଟ୍ରଫି ଜିତିବାରେ ଦୁନିଆର ପ୍ରଥମ କ୍ରିକେଟର ହୋଇଛନ୍ତି କୋହଲି । ଯେଉଁଥିରେ ଅଣ୍ଡର-୧୯ ବିଶ୍ୱକପ, ଟି-୨୦ ବିଶ୍ୱକପ, ଚାମ୍ପିଅନ୍ସ ଟ୍ରଫି ଏବଂ ODI ବିଶ୍ୱକପ ସାମିଲ ରହିଛନ୍ତି । ଏପରିକି ଏହି ରେକର୍ଡ କରିବାରେ ଏମଏସ ଧୋନି ମଧ୍ୟ ସଫଳ ହୋଇ ନାହାନ୍ତି ।   

ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୦୮ରେ ଖେଳାଯାଇଥିଲା । ଫାଇନାଲ ମ୍ୟାଚରେ କୋହଲି କରିଥିଲେ ୩୪ ବଲରେ ୧୯ ରନ । DLS ପଦ୍ଧତିରେ ଟୁର୍ନାମେଣ୍ଟକୁ ୧୨ ରନ୍ରେ ଜିତିଥିଲା ଭାରତ । ଆଇସିସି ବିଶ୍ୱକପ ୨୦୧୧ରେ କୋହଲି ୪୯ ବଲରେ କରିଥିଲେ ୩୫ ରନ୍‌ । ସେତେବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ଥିଲେ ଧୋନି । ଏହି ଫାଇନାଲ ମ୍ୟାଚକୁ ୬ ୱିକେଟରେ ଜିତିଥିଲା ଟିମ୍‌ ଇଣ୍ଡିଆ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୧୩ର ଅନ୍ତିମ ମ୍ୟାଚ୍ରେ କୋହଲି ୩୪ ବଲରେ କରିଥିଲେ ୪୩ ରନ୍ । ଟୁର୍ଣ୍ଣାମେଣ୍ଟ ବେଳେ ଦଳର ଅଧିନାୟକ ଥିଲେ ଧୋନି । ଏହି ମ୍ୟାଚକୁ ଭାରତ ୫ ରନରେ ଜିତିଥିଲା। ତେବେ ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ଅନ୍ତିମ ମ୍ୟାଚ୍ରେ ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୯ ବଲରେ କରିଥିଲେ ୭୬ ରନ୍ । ରୋହିତ ଶର୍ମାଙ୍କ ଅଧିନାୟିକତ୍ବରେ ମ୍ୟାଚକୁ ୭ ରନରେ ଜିତି ନେଇଥିଲା ଭାରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.