ସଚିନଙ୍କୁ ପଛରେ ପକାଇଲେ ବିରାଟ କୋହଲି; ଅଷ୍ଟ୍ରେଲିଆ ମାଟିରେ କଲେ ଏହି ନୂଆ ରେକର୍ଡ

Published By : Prameya-News7 Bureau | November 02, 2022 IST

ନୂଆଦିଲ୍ଲୀ: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି। ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ସ୍କୋର୍ କରିଥିବା ଭାରତୀୟ ବ୍ୟାଟର ଭାବେ ସଚିନଙ୍କୁ ପଛରେ ପକାଇଲେ ବିରାଟ। ଆଜି ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୪୪ ବଲରେ ୬୪ ରନ୍ କରି ଏହି ରେକର୍ଡ କରିଛନ୍ତି ବିରାଟ କୋହଲି।  

ଏହା ପୂର୍ବରୁ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ସ୍କୋର କରିଥିବା ଏକମାତ୍ର ଭାରତୀୟ ବ୍ୟାଟର ଥିଲେ।  ହେଲେ ଆଜିର ୬୪ ରନ୍‌ ପରେ ବିରାଟ ସଚିନଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆ ମାଟିରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି।

କୋହଲି ଅଷ୍ଟ୍ରେଲିଆ ମାଟିରେ ୬୮ ଇନିଙ୍ଗ୍ସ ୩୩୫୦ ରନ୍ କରିଛନ୍ତି। ଏହା ପୂର୍ବରୁ ତେନ୍ଦୁଲକର ୮୪ ଇନିଙ୍ଗ୍ସ ଖେଳି ୩୩୦୦ ରନ୍ କରିଥିଲେ।  ୫୬.୭୭ ହାରରେ ଏହି ରନ୍ କରିଛନ୍ତି କୋହଲି। କେବଳ ଏହି ଗୋଟିଏ ରେକର୍ଡ ନୁହେଁ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି ବିରାଟ। ଏହା ପୂର୍ବରୁ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟର ଥିଲେ ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେ।  

ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୬ ରନ୍ କରିବା ପରେ ବିରାଟ ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗିଥିଲେ। ଟି-୨୦ ବିଶ୍ୱକପରେ ପୂର୍ବରୁ ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେ ୩୧ ଇନିଙ୍ଗ୍ସ ଖେଳି ୧୦୧୬ ରନ୍ କରି ସର୍ବାଧିକ ସ୍କୋର କରିଥିବା ବ୍ୟାଟର ତାଲିକାରେ ନମ୍ବର ୱାନ୍‌ରେ ଥିଲେ। ହେଲେ କୋହଲି ମାତ୍ର ୨୩ ଇନିଙ୍ଗ୍ସ ଖେଳି ଏହି ରେକର୍ଡ ଭାଙ୍ଗି ୧୦୬୫ ରନ୍ କରିଛନ୍ତି। କୋହଲି ବର୍ତ୍ତମାନ ସୁଧା ଟି-୨୦ ବିଶ୍ୱକପରେ ୧୩ଟି ଅର୍ଦ୍ଧଶତକ ହାସଲ କରିସାରିଲେଣି।

ଟି-୨୦ର ସବୁ ଫର୍ମାଟରେ ଟପ୍‌ରେ ବିରାଟ-
ଟି-୨୦ର ସମସ୍ତ ଫର୍ମାଟରେ ବିରାଟ ବର୍ତ୍ତମାନ ସବୁ ବ୍ୟାଟରଙ୍କୁ ପଛରେ ପକାଇ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ତାଲିକାରେ ନମ୍ବର ୱାନ୍‌ରେ ରହିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ୩୯୩୨ ସ୍କୋର କରିଥିବା ବେଳେ ଟି-୨୦ ବିଶ୍ୱକପରେ ୧୦୬୫ ଓ ଆଇପିଏଲ୍‌ରେ ୬୬୨୪ ରନ୍ କରିଛନ୍ତି। ଟି-୨୦ ବିଶ୍ୱକପରେ ସର୍ବାଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ କୋହଲିଙ୍କ ପଛରେ ଶ୍ରୀଲଙ୍କା ବ୍ୟାଟର ମହେଲା ଜୟବର୍ଦ୍ଧନେ ୩୧ ଇନିଙ୍ଗ୍ସରେ ୧୦୧୬ ରନ୍ ୱେଷ୍ଟଇଣ୍ଡିଜ୍ ବ୍ୟାଟର କ୍ରିସ୍ ଗେଲ୍ ୩୧ ଇନିଙ୍ଗସରେ ୯୬୫ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.