ନୂଆ ରେକର୍ଡ କରିବ ବିରାଟ-ରୋହିତଙ୍କ ଯୋଡି, ଉଭୟଙ୍କୁ ଦରକାର ଆଉ ମାତ୍ର ୨ରନ୍…
2/09/2023 at 11:38 AM

କାଣ୍ଡି ୦୨।୦୯ : ରେକର୍ଡ ଅପେକ୍ଷାରେ ରୋହିତ ଶର୍ମା ଏବଂ ବିରାଟ କୋହଲି । ଏସିଆ କପ୍ ୨୦୨୩ । ଶନିବାର ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚ୍ରେ ଭାରତୀୟ ଦଳର ଦୁଇ ଷ୍ଟାର ବ୍ୟାଟର ବିରାଟ କୋହଲି-ରୋହିତ ଶର୍ମାଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଦୁଇ ଜଣ ଖେଳାଳି ଦିନିକିଆ କ୍ରିକେଟ୍ ପାକିସ୍ତାନ ବିପକ୍ଷରେ ଜୋରଦାର ପ୍ରଦର୍ଶନ କରୁଛନ୍ତି । ଏବେ ଏହି ଯୋଡିଙ୍କ ନାଁରେ ଆଉ ଏକ ରେକର୍ଡ କରିବାରେ ସମୟ ଆସିଛି । ଏଥିପାଇଁ ଆଉ ମାତ୍ର ୨ ରନ୍ର ଆବଶ୍ୟକ ରହିଛି ।
ଭାରତୀୟ ଟିମ୍ର ବିଜୟରେ ବିରାଟ କୋହଲି-ରୋହିତ ଶର୍ମା ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ଦୁଇ ଷ୍ଟାର ବ୍ୟାଟର ଏବେ ଯାଏଁ ୮୫ଟି ଦିନିକିଆ ମ୍ୟାଚ୍ରେ ଏକାଠି ବ୍ୟାଟିଂ କରି ୪୯୯୮ ରନ୍ ସଂଗ୍ରହ କରିଛନ୍ତି । ୬୨.୪୭ ପ୍ରତିଶତ ଏହି ଯୋଡି ଏହି ରନ୍ ସଂଗ୍ରହ କରିଛନ୍ତି । ଉଭୟ ଯୋଡି ୧୮ଟି ଶତକ ଏବଂ ୧୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏବେ ଏହି ଯୋଡିଙ୍କୁ ଆଉ ଦୁଇ ରନ୍ର ଆବଶ୍ୟକ ରହିଛି । ଯଦି ଆଗାମୀ ମ୍ୟାଚ୍ରେ ଏହି ଯୋଡି ଦୁଇ ରନ୍ ସଂଗ୍ରହ କରୁଛନ୍ତି । ତେବେ ୫ ହଜାର ପୂରଣ କରିବାରେ ସଫଳ ହେବେ ।
ସେହିପରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଆଉ କିଛି ରେକର୍ଡ ଅପେକ୍ଷା କରିଛି । ରୋହିତ ୨୪୪ଟି ଦିନିକିଆ ଖେଳି ୪୮.୬୯ ହାରରେ ୯୮୩୭ ରନ୍ ସଂଗ୍ରହ କରିସାରିଛନ୍ତି । ୧୦,୦୦୦ ଦିନିକିଆ ରନ୍ କ୍ଲବ୍ରେ ସାମିଲ ହେବା ପାଇଁ ସେ ଆଉ ୧୬୩ ରନ୍ ଆବଶ୍ୟକ କରୁଛନ୍ତି । ମ୍ୟାଚ୍ରେ ବିରାଟ ୧୦୨ ରନ୍ କଲେ ଦ୍ରୁତତମ ବ୍ୟାଟର ଭାବେ ୧୩,୦୦୦ ଦିନିକିଆ ରନ୍ ପୂରଣ କରିବେ । ବର୍ତ୍ତମାନ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ୩୨୧ଟି ଇନିଂସ ଖେଳି ୧୦,୦୦୦ ରନ ପୂରଣ କରିଥିଲେ । କୋହଲି ଇତି ମଧ୍ୟରେ ୨୬୫ଟି ଇନିଂସ ଖେଳିଛନ୍ତି ।
ବାବର ଆଜମ ଦିନିକିଆରେ ୧୯ଟି ଶତକ ଅର୍ଜନ କରିସାରିଛନ୍ତି । ସେ ଶନିବାର ଶତକ କଲେ ପାକିସ୍ତାନ ପକ୍ଷରୁ ସର୍ବାଧିକ ଦିନିକିଆ ଶତକ ରେକର୍ଡ ସହ ସମକକ୍ଷ ହେବେ । ସଇଦ ଅନୱର ପାକିସ୍ତାନ ପକ୍ଷରୁ ସର୍ବାଧିକ ୨୦ଟି ଶତକ ଅର୍ଜନ କରିଛନ୍ତି । ରବିନ୍ଦ୍ର ଜାଡେଜା ଆଉ ୭ଟି ୱିକେଟ୍ ନେଲେ ସପ୍ତମ ଭାରତୀୟ ଭାବେ ୨୦୦ ଦିନିକିଆ ୱିକେଟ୍ କ୍ଲବ୍ରେ ସାମିଲ ହେବେ । କେବଳ ସେତିକି ନୁହେଁ, ସେ କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ୨୦୦୦ ରନ ଓ ୨୦୦ ୱିକେଟ୍ କ୍ଲବ୍ରେ ସାମିଲ ହେବେ ।