ନୂଆଦିଲ୍ଲୀ ୧୯।୦୬; ଟିମ୍ ଇଣ୍ଡିଆର ପୂର୍ବ କ୍ୟାପ୍ଟେନ୍ ବିରାଟ କୋହଲି କେବଳ କ୍ରିକେଟ୍ ପିଚ୍ରେ ଚଉକା ଛକା ମାରୁନାହାନ୍ତି । ବ୍ରାଣ୍ଡ୍ ଭାଲ୍ୟୁ ମାମଲାରେ ବି ଆଗରେ ଅଛନ୍ତି । କନ୍ସଲ୍ଟାନ୍ସି କମ୍ପାନି କ୍ରୋଲ୍ର ‘ସେଲିବ୍ରିଟି ବ୍ରାଣ୍ଡ୍ ଭାଲ୍ୟୁଏସନ୍ ରିପୋର୍ଟ ୨୦୨୩: ବ୍ରାଣ୍ଡ୍ସ, ବିଜ୍ନେସ, ବଲିଉଡ୍’ ଅନୁସାରେ, ବ୍ରାଣ୍ଡ୍ ଭାଲ୍ୟୁ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି କୋହଲି । ତାଙ୍କ ବ୍ରାଣ୍ଡ୍ ଭାଲ୍ୟୁ ୨୨.୭୯ କୋଟି ଆମେରିକୀୟ ଡଲାର । ଏଥିସହ ସେ ବଲିଉଡ୍ର ତମାମ ସେଲିବ୍ରିଟିଙ୍କୁ ପଛରେ ପକାଇଛନ୍ତି । ୨୦୨୨ ମସିହାରେ ତାଙ୍କ ବ୍ରାଣ୍ଡ୍ ଭାଲ୍ୟୁ ୧୭.୬୯ କୋଟି ଡଲାର ଥିଲା, ଯାହା ଏଥର ୨୯ ପ୍ରତିଶତ ବୃଦ୍ଧି ହୋଇଛି । ଏହି ରିପୋର୍ଟ ଭାରତର ସବୁଠୁ ପ୍ରଭାବଶାଳୀ ସେଲିବ୍ରିଟିଙ୍କୁ ସେମାନଙ୍କର ବ୍ରାଣ୍ଡ୍ ବିଜ୍ଞାପନ ଓ ସୋସିଆଲ ମିଡିଆ ଉପସ୍ଥିତି ଜରିଆରେ ଆକଳନ କରେ ।
କୋହଲିଙ୍କ ପରେ ୨୦.୩୧ କୋଟି ଡଲାର ବ୍ରାଣ୍ଡ୍ ଭାଲ୍ୟୁ ସହିତ ୨ୟ ସ୍ଥାନରେ ଅଛନ୍ତି ବଲିଉଡ୍ ଷ୍ଟାର ରଣବୀର ସିଂହ । ଶୀର୍ଷ ୨୫ ଭାରତୀୟ ସେଲିବ୍ରିଟିଙ୍କର ମିଳିତ ବ୍ରାଣ୍ଡ୍ ଭାଲ୍ୟୁ ୨୦୨୩ ମସିହାରେ ୧୯୦ କୋଟି ଡଲାର ପହଞ୍ଚିଛି । ପୂର୍ବ ବର୍ଷଠୁ ଏହା ୧୮ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟ ଦର୍ଶାଇଛି । ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ୍ ୧୨.୦୭ କୋଟି ଡଲାର ବ୍ରାଣ୍ଡ୍ ଭାଲ୍ୟୁ ସହିତ ୩ୟ ସ୍ଥାନରେ ଅଛନ୍ତି । ୨୦୨୩ ମସିହାରେ ‘ପଠାନ୍’ ଓ ‘ଯବାନ୍’ ଭଳି ବ୍ଲକ୍ବଷ୍ଟର ଫିଲ୍ମର ସଫଳତା ପାଇଁ ତାଙ୍କ ବ୍ରାଣ୍ଡ୍ ଭାଲ୍ୟୁ ଖୁବ୍ ବଢ଼ିଯାଇଛି ।
ଏଥର ଅକ୍ଷୟ କୁମାର ୧୧.୧୭ କୋଟି ଡଲାର ବ୍ରାଣ୍ଡ୍ ଭାଲ୍ୟୁ ସହିତ ୪ର୍ଥ ସ୍ଥାନକୁ ଖସିଛନ୍ତି । ୨୦୨୨ ମସିହାରେ ସେ ୩ୟ ସ୍ଥାନରେ ଥିଲେ । ୧୦.୧୧ କୋଟି ଡଲାର ବ୍ରାଣ୍ଡ୍ ଭାଲ୍ୟୁ ସହିତ ୫ମ ସ୍ଥାନକୁ ଉଠିଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ । ଗତ ଥର ସେ ୪ର୍ଥ ସ୍ଥାନରେ ଥିଲେ । ୯.୬ କୋଟି ଡଲାର ବ୍ରାଣ୍ଡ୍ ଭାଲ୍ୟୁ ସହିତ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି ଦୀପିକା ପାଦୁକୋନ । କ୍ରିକେଟର ଏମ୍ଏସ୍ ଧୋନି ୯.୫୮ କୋଟି ଡଲାର ବ୍ରାଣ୍ଡ୍ ଭାଲ୍ୟୁ ସହିତ ୭ମ ଏବଂ ସଚିନ ତେନ୍ଦୁଲକର ୯.୧୩ କୋଟି ଡଲାର ସହିତ ୮ମ ସ୍ଥାନରେ ଅଛନ୍ତି । ସଲମାନ ଖାନ୍ ବ୍ରାଣ୍ଡ୍ ଭାଲ୍ୟୁ ମାମଲାରେ ତାଲିକାର ୧୦ମ ସ୍ଥାନରେ ଅଛନ୍ତି । ଅଭିନେତ୍ରୀ କିଆରା ଆଡ଼ଭାନି ଗତ ଥର ୧୬ତମ ସ୍ଥାନରେ ଥିବାବେଳେ ଏଥର ୧୨ତମ ସ୍ଥାନକୁ ଉଠିଛନ୍ତି ।