‘ଯଦି କେହି କୋଟିଏ ଟଙ୍କା ଦିଏ…’: ବିରାଟଙ୍କ ବ୍ୟାଟକୁ ନେଇ ଏମିତି କହିଲେ ପାକିସ୍ତାନୀ ଫ୍ୟାନ୍
10/09/2022 at 1:07 PM

ନୂଆଦିଲ୍ଲୀ, ୧୦|୦୯: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ଶତକର ଭୋକ ମେଣ୍ଟାଇଛନ୍ତି । ସେ ଏସିଆ କପ ୨୦୨୨ରେ ଆଫଗାନିସ୍ତାନ ବିପକ୍ଷରେ ଦମଦାର ଇନିଂସ ଖେଳିଥିଲେ । ଏହି ମୁକାବିଲାରେ ସେ ୭୧ତମ ଅନ୍ତରାଷ୍ଟ୍ରୀୟ ଶତକ ହାସଲ କରିଥିଲେ ।
କୋହଲି ପ୍ରାୟ ୩୪ ମାସ ପରେ ଶତକ ଲଗାଇଛନ୍ତି । ଏହା ଟି୨୦ ଫର୍ମାଟରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଶତକ । ମୁକାବିଲାରେ ରନ୍ ମେସିନ୍ ୧୨୨ ରନ୍ କରିବା ସହ ଅପରାଜିତ ମଧ୍ୟ ରହିଥିଲେ । ତାଙ୍କ ଶତକ ବଳରେ ଭାରତ ୧୦୧ ରନରେ ବୃହତ ବିଜୟ ହାସଲ କରିଥିଲା ।
ଶତକ ଲଗାଇବା ପରେ କୋହଲି ତାଙ୍କ ବ୍ୟାଟକୁ ଜଣେ ଫ୍ୟାନଙ୍କୁ ଗିଫ୍ଟ କରିଥିଲେ । ଏହି ଫ୍ୟାନଙ୍କ ନାଁ ସଲାଉଦ୍ଦୀନ । ସେ ପାକିସ୍ତାନରେ ରୁହନ୍ତି । ଏହି ବ୍ୟାଟକୁ ନେଇ ସଲାଉଦ୍ଦୀନ କହିଛନ୍ତି ଯେ, ତାଙ୍କୁ ଯଦି କେହି କୋଟିଏ ଟଙ୍କା ଦେବ ତଥାପି ସେ ଏହି ବ୍ୟାଟକୁ କାହାକୁ ଦେବେ ନାହିଁ । ଏହାସହ ତାଙ୍କ ପାଖରେ ଅନେକ ମହାନ ବ୍ୟାଟରଙ୍କ ୧୫୦ ବ୍ୟାଟ୍ ଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ତାଙ୍କ ହାତରେ ବିରାଟଙ୍କ ଅଟୋଗ୍ରାଫ୍ ଥିବା ବ୍ୟାଟ୍ ଅଛି । ସେ ବହୁତ ଭାଗ୍ୟବାନ । କୋହଲି ଶତକ ମାରିଥିଲେ । ଏହି ବ୍ୟାଟ ଉପହାର ଭାବେ ମିଳିଥିବାରୁ ବହୁତ ଖୁସି ଲାଗୁଛି । ସେ କୋହଲିଙ୍କୁ ଏକ ଅନୁରୋଧ କରିଥିଲେ ଓ କୋହଲି ଏହାକୁ ସ୍ୱୀକାର ମଧ୍ୟ କରିଥିଲେ ।
ବ୍ୟାଟ୍ ବିକ୍ରି କରିବାକୁ ନେଇ ସେ କହିଛନ୍ତି ଯେ, ଜଣେ ବ୍ୟକ୍ତି ତାଙ୍କୁ ୧ ଲକ୍ଷ ଟଙ୍କାରେ ବ୍ୟାଟ୍ ଦେବାକୁ କହିଥିଲେ । କିନ୍ତୁ ସେ ମନା କରିଥିଲେ । ଏପରିକି କୋଟିଏ ଟଙ୍କା ଯାଚିଲେ ବି ସେ ବ୍ୟାଟ୍ ଦେବେ ନାହିଁ । ତାଙ୍କ ପାଖରେ 150 ରୁ ଅଧିକ ବ୍ୟାଟ୍ ରହିଛି । ଯାହାକୁ ସେ ୮ରୁ ୯ ବର୍ଷ ହେଲା ସଂଗ୍ରହ କରି ଆସୁଛନ୍ତି । ଏହି ସବୁ ବ୍ୟାଟ୍ ମଧ୍ୟରେ ବିରେନ୍ଦ୍ର ସେହ୍ୱାଗ, ସାହିଦ ଆଫ୍ରିଦି ଓ ଇମରାନ ଖାନଙ୍କ ବ୍ୟାଟ୍ ଥିବା ସେ କହିଛନ୍ତି ।