T20 World Cup 2022: କୋହଲିଙ୍କୁ ଭଲ ସୁହାଉଛି ଆଡିଲେଡ୍ ମଇଦାନ, ଥରୁଟିଏ ବି ଆଉଟ୍ ହୋଇ ନାହାନ୍ତି

Published By : Prameya-News7 Bureau | November 09, 2022 IST

ନୂଆଦିଲ୍ଲୀ: ଆସନ୍ତାକାଲି ଆଡିଲେଡ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ଵ କପ୍‌ର ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ପୁଣି ଥରେ ସଭିଙ୍କ ନଜର ତାରକା ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ଉପରେ ରହିବ। କୋହଲି ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ନିଜର ଖ୍ୟାତି ଅନୁସାରେ ଦମଦାର ବ୍ୟାଟିଂ କରିଛନ୍ତି। ତାଙ୍କ ବ୍ୟାଟ୍‌ରୁ ତିନୋଟି ଅର୍ଦ୍ଧଶତକ ଦେଖିବାକୁ ମିଳିଛି। ୨୪୬ ରନ ସହିତ ସେ ବିଶ୍ଵ କପ୍‌ରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତାଲିକାରେ ଶୀର୍ଷରେ ଅଛନ୍ତି। ତେଣୁ ପ୍ରଶଂସକ ଆଶା ରଖିଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ମୁକାବିଲାରେ ବି କୋହଲିଙ୍କ ବ୍ୟାଟ୍‌ରୁ ରନ ବର୍ଷିବ। ବିରାଟ କୋହଲିଙ୍କୁ ଅଷ୍ଟ୍ରେଲିଆ ପିଚ୍ ଏବଂ ପଡିଆ ବେଶ ସୁହାଇଛି। ସେଥିରୁ ତାଙ୍କର ପସନ୍ଦର ପଡିଆ ହେଉଛି ଆଡିଲେଡ୍ ଓଭାଲ। କୋହଲି ଏହି ପଡିଆରେ ଟି-୨୦ ମ୍ୟାଚ୍‌ରେ ଥରୁଟିଏ ବି ଆଉଟ୍ ହୋଇ ନାହାନ୍ତି।

ବିରାଟ କୋହଲି ଏହି ପଡିଆରେ ଏ ପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଅପରାଜିତ ରହି ୧୫୪ ରନ କରିଛନ୍ତି। ଏଥିରେ ସର୍ବଶ୍ରେଷ୍ଠ ସ୍କୋର ୯୦ ରନ ରହିଛି। ଏହି ଇନିଂସ ୨୦୧୬ରେ ଖେଳିଥିବା ବେଳେ ଚଳିତ ଟି-୨୦ ବିଶ୍ଵ କପ୍‌ରେ ବାଂଲାଦେଶ ବିପକ୍ଷରେ ୬୪ ରନର ଅପରାଜିତ ଇନିଂସ ଖେଳିଥିଲେ। ପ୍ରଶଂସକ ପୁଣି ଥରେ ଏହି ପଡିଆରେ କୋହଲିଙ୍କଠୁ ବଡ ଇନିଂସର ଆଶା ରଖିଛନ୍ତି।

ବିରାଟ କୋହଲି ଟି-୨୦ ବିଶ୍ଵକପ୍‌ରେ ଏ ପର୍ଯ୍ୟନ୍ତ ଦୁଇ ଥର ସେମି ଫାଇନାଲ୍‌ ମ୍ୟାଚ୍ ଖେଳି ଦୁଇ ଥର ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୪ ବଲ୍‌ରୁ ୭୨ ରନର ଅପରାଜିତ ଇନିଂସ ଖେଳିଥିଲେ। ପୁଣି ୨୦୧୬ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୮୯ ରନ ଅପରାଜିତ ଇନିଂସ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.