ବିନା ଶତକରେ କୋହଲିଙ୍କ ୧୦୦୦ ଦିନ ପୂରା, ଟ୍ରୋଲ କଲେ ବାର୍ମି ଆର୍ମି
19/08/2022 at 9:02 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବିନା ଶତକରେ ଆଜି ୧୦୦୦ ଦିନ ପୂରିଛି। କୋହଲି ନିଜର ଶେଷ ଶତକ ୨୦୧୯ ନଭେମ୍ବର ୨୩ରେ ହାସଲ କରିଥିଲେ। ସେ ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟରେ ୧୩୬ ରନର ଇନିଂସ ଖେଳିଥିଲେ। ଏହା କୋହଲିଙ୍କ ୭୦ତମ ଅନ୍ତର୍ଜାତୀୟ ଶତକ ଥିଲା।
କୋହଲି ବିନା ଶତକରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ ଦିନ ପୂରା କରିବା ନେଇ ଇଂଲଣ୍ଡର ବାର୍ମି ଆର୍ମି ଏହି ଭାରତୀୟ ବ୍ୟାଟସମ୍ୟାନଙ୍କୁ ଟ୍ରୋଲ କରିବାକୁ ଉଦ୍ୟମ କରିଛନ୍ତି। ବାର୍ମି ଆର୍ମି ଟୁଇଟ୍ କରି ଲେଖିଛନ୍ତି ୧୦୦୦ ଦିନ।
ବାର୍ମି ଆର୍ମିଙ୍କୁ ଏହି ଟୁଇଟ୍ କରିବା ମହଙ୍ଗା ପଡିଛି। ଭାରତୀୟ ପ୍ରଶଂସକ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ୩୩୫୨ ଦିନରୁ ଇଂଲଣ୍ଡ ଭାରତ ବିପକ୍ଷରେ ତାରି ମାଟିରେ କୌଣସି ସିରିଜ୍ ଜିତି ନାହିଁ। ଆଉ ଜଣେ ପ୍ରଶଂସକ ଦିନିକିଆ କ୍ରିକେଟରେ କୌଣସି ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ଏକ ଖାସ୍ ରେକର୍ଡକୁ ନେଇ ତାତ୍ସଲ୍ୟ କରିଛନ୍ତି।
1,000 days
— England's Barmy Army (@TheBarmyArmy) August 19, 2022
ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରି ପାରିନଥିଲେ ବି ତାଙ୍କ ରେକର୍ଡ ଦମଦାର ରହିଛି। ଅଧିକ ଅନ୍ତର୍ଜାତୀୟ ଶତକ ତାଲିକାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି। ୭୧ ଶତକ ସହ ରିକି ପଣ୍ଟିଂ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। କୋହଲି ତାଙ୍କଠୁ ମାତ୍ର ଗୋଟିଏ ଶତକ ପଛରେ ଅଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ
ସଚିନ ତେନ୍ଦୁଲକର- ୬୬୪ ମ୍ୟାଚ୍, ୩୪୩୫୭ ରନ, ୧୦୦ ଶତକ
ରିକି ପଣ୍ଟିଂ- ୫୬୦ ମ୍ୟାଚ୍, ୨୭୪୮୩ ରନ, ୭୧ ଶତକ
ବିରାଟ କୋହଲି- ୪୬୩ ମ୍ୟାଚ୍, ୨୩,୭୨୬ ରନ, ୭୦ ଶତକ
କୁମାର ସାଙ୍ଗାକାରା- ୫୯୪ ମ୍ୟାଚ୍, ୨୮୦୧୬ ରନ, ୬୩ ଶତକ
ଜ୍ୟାକ୍ସ କାଲିସ- ୫୧୯ ମ୍ୟାଚ୍, ୨୫୫୩୪ ରନ, ୬୨ ଶତକ
ଏସିଆ କପରେ କୋହଲିଙ୍କଠୁ ଭଲ ପ୍ରଦର୍ଶନର ଆଶା
ବିରାଟ କୋହଲିଙ୍କୁ ଓ୍ଵେଷ୍ଟଇଣ୍ଡିଜ ଗସ୍ତରୁ ବିଶ୍ରାମ ଦିଆଯାଇଥିଲା। ଏଥିସହ ବର୍ତ୍ତମାନ ଜିମ୍ବାଓ୍ଵେ ଗସ୍ତରେ ମଧ୍ୟ ସେ ଦଳରେ ନାହାନ୍ତି। ଏବେ କୋହଲି ସିଧାସଳଖ ଏସିଆ କପ ଜରିଆରେ ମଇଦାନକୁ ଓହ୍ଲାଇବେ। ଚଳିତ ମାସ ୨୭ ତାରିଖରୁ ଏସିଆ କପ୍ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଜାରି ରହିବ। ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ।