ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ : ରିକି ପଣ୍ଟିଂଙ୍କୁ ପଛରେ ପକାଇ ବିଶ୍ବ ରେକର୍ଡ କରିପାରନ୍ତି କୋହଲି

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/ ୦୬ : ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ପାଇଁ ଭାରତ ଏବଂ ନ୍ୟୁଜିଲାଣ୍ଡ ଟିମର ପ୍ରସ୍ତୁତି ପ୍ରାୟତ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଜୁନ ୧୮ରୁ ୨୨ ଯାଏଁ ଇଂଲଣ୍ଡର ସାଉଥଆମ୍ପଟନରେ ଖେଳାଯିବ ଡବ୍ଲ୍ୟୁଟିସି ଫାଇନାଲ । ଏହି ମ୍ୟାଚ ପୂର୍ବରୁ ଏବେ ସମସ୍ତଙ୍କ ନଜର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ଉପରେ ରହିଛି । ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ବିଜୟ ସହିତ କୋହଲିଙ୍କ ନିକଟରେ ବିଶ୍ବ ରେକର୍ଡ କରିବାର ସୁବର୍ଣ୍ଣ ସୁଯୋଗ ରହିଛି ।
ଯଦି ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚରେ କୋହଲି ଶତକ ହାସଲ କରନ୍ତି ତେବେ ଅଧିନାୟକ ଭାବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଧିକ ଶତକ ହାସଲ କରିବାର ରେକର୍ଡ କରିବେ । ଏହି କ୍ରମରେ ସେ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ଅଧିନାୟକ ରହିସାରିଥିବା ରିକି ପଣ୍ଟିଂଙ୍କୁ ପଛରେ ପକାଇଦେବେ । ଅଧିନାୟକ ଭାବେ ପଣ୍ଟିଂ ଏବଂ କୋହଲି ଉଭୟ ୪୧ଟି ଶତକ ହାସଲ କରିସାରିଛନ୍ତି ।

କୋହଲି ବର୍ତ୍ତମାନ ସୁଦ୍ଧା ୨୦୦ଟି ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇସାରିଛନ୍ତି । ଅଧିନାୟକ ଭୋବ ସେ ୬୨.୩୩ ହାରରେ ୧୨୩୪୩ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪୧ ଟି ଶତକ ଏବଂ ୫୪ ଅର୍ଦ୍ଧଶତକ ସାମିଲ ଅଛି । ସେହିଭଳି ରିକି ପଣ୍ଟିଂ ମୋଟ ୩୨୪ ଟି ମ୍ୟାଚରେ ଅଧିନାୟକ ଭାବେ ଦାୟିତ୍ବ ତୁଲାଇଥିଲେ । ପଣ୍ଟିଂ ୪୫.୫୪ ହାରରେ ୧୫୪୪୦ ରନ କରିଥିଲେ ଯେଉଁଥିରେ ୪୧ଟି ଶତକ ଏବଂ ୮୮ଟି ଅର୍ଦ୍ଦଶତକ ସାମିଲ ଅଛି ।

ସେହିଭଳି ଭାବେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ କୋହଲିଙ୍କ ପାଇଁ ଆଉ ଏକ ସୁଯୋଗ ରହିଛି । ପଣ୍ଟିଂଙ୍କ ସହିତ ବରାବର ହେବା ପାଇଁ କୋହଲିଙ୍କ ନିକଟରେ ସୁଯୋଗ ରହିଛି । ରିକି ପଣ୍ଟିଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମୋଟ ୭୧ ଶତକ ହାସଲ କରିଥିବା ବେଳେ କୋହଲି ୭୦ଟି ଶତକ ହାସଲ କରିଛନ୍ତି । ତେବେ ଯଦି କୋହଲି ଫାଇନାଲ ମ୍ୟାଚରେ ଶତକ ହାସଲ କରନ୍ତି ତେବେ ସେ ପଣ୍ଟିଂଙ୍କ ସମକକ୍ଷ ହୋଇଯିବେ । କୋହଲି ଟେଷ୍ଟ ମ୍ୟାଚରେ ୨୭ଟି ଶତକ ହାସଲ କରିଥିବା ବେଳେ ଦିନିକିଆରେ ୪୩ଟି ଶତକ ହାସଲ କରିଛନ୍ତି ।
ଇଣ୍ଟରନେସନାଲ କ୍ରିକେଟରେ ସବୁଠାରୁ ଅଧିକ ଶତକ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ତେନ୍ଦୁଲକର ତାଙ୍କ କ୍ୟାରିୟରରେ ମୋଟ ୧୦୦ଟି ଶତକ ହାସଲ କରିଛନ୍ତି । ସେଥି ମଧ୍ୟରୁ ଟେଷ୍ଟରେ ୫୧ଟି ଏବଂ ଦିନିକିଆରେ ୪୯ଯି ଶତକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.