ଦିନିକିଆରେ ଇତିହାସ ରଚିଲେ ବିରାଟ, ସତ ହେଲା କ୍ରିକେଟ୍‌ ଗଡ୍‌ଙ୍କ ଭବିଷ୍ୟବାଣୀ

Published By : Prameya-News7 Bureau | November 15, 2023 IST

ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଐତିହାସିକ ପାଳି ଖେଳିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର୍‌ ବିରାଟ କୋହଲି। ବିଶ୍ୱକପ୍‌ ସେମିଫାଇନାଲରେ ଶତକୀୟ ପାଳି ଖେଳିବା ସହ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି ସେ। ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରିଛନ୍ତି ବିରାଟ। ଏହି ଶତକ ସହିତ କ୍ରିକେଟ୍‌ ଗଡ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କିଙ୍ଗ କୋହଲି। ସଚିନଙ୍କ ରେକର୍ଡ କେବଳ ବିରାଟ ଭାଙ୍ଗିପାରିବେ ବୋଲି ଏକଦା ଭବିଷ୍ୟବାଣୀ କରିଥିଲେ ନିଜେ ସଚିନ, ଯାହା ସତରେ ପରିଣତ ହୋଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋହଲି ୧୦୬ ବଲରେ ନିଜର ଶତକ ପୂରଣ କରିଥିଲେ। ଏହା କୋହଲିଙ୍କ ୫୦ ତମ ଶତକ ଥିଲା। ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ୪୯ଟି ଦିନିକିଆ ଶତକ ହାସଲ କରିଥିଲେ, କିନ୍ତୁ ଏହି ରେକର୍ଡକୁ ଭାଙ୍ଗିଛନ୍ତି କିଙ୍ଗ୍‌ କୋହଲି।  

ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆ ଫର୍ମାଟରେ ହାସଲ କରିଛନ୍ତି ୫୦ଟି ଶତକ। ଏହାସହ ଦିନିକିଆରେ ସର୍ବାଧିକ ସେଞ୍ଚୁରୀ ହାସଲ କରିବାରେ ସେ ଏବେ ନମ୍ବର ଓ୍ୱାନ୍‌। ତେନ୍ଦୁଲକର ତାଙ୍କ କ୍ୟାରିୟରରେ ୪୬୩ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। କିଙ୍ଗ କୋହଲି ତାଙ୍କର ୨୯୧ ତମ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି।

ଏହା ବ୍ୟତୀତ କୋହଲି ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ଏହାସହ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। କୋହଲିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ କରିଥିଲେ। ୨୦୦୩ ବିଶ୍ୱକପରେ ମୋଟ୍‌ ୬୭୩ ରନ୍ ସଂଗ୍ରହ କରିଥିଲେ ସଚିନ। କିନ୍ତୁ ଏହି ରେକର୍ଡରେ ନିଜ ନାମରେ କରିଛନ୍ତି କୋହଲି। ଗୋଟିଏ ସଂସ୍କରଣରେ ସର୍ବାଧିକ ୭୧୧ ରନ୍‌ ସଂଗ୍ରହ ନମ୍ବର ଓ୍ୱାନ୍‌ରେ ରହିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା କୋହଲି ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍। ତାଙ୍କର ୫୦ଟି ଦିନିକିଆ ଶତକ ସହ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୮୦ତମ ଶତକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ୫୦ ଶତକ କରିଥିବାବେଳେ ଟେଷ୍ଟ କ୍ରିକେଟରେ ୨୯ ଶତକ ଏବଂ ଟି -20ରେ ଗୋଟିଏ ଶତକ ହାସଲ କରିଛନ୍ତି କୋହଲି।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ କରିବାର ରେକର୍ଡ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି, ଯିଏକି ତାଙ୍କ କ୍ୟାରିୟରରେ ଶହେ ଶତକ ହାସଲ କରିଥିଲେ। ତେବେ ଆଗାମୀ ଦିନରେ ଏହି ରେକର୍ଡକୁ କୋହଲି ପାର୍‌ କରିବା ନେଇ ଏନେଇ ସମସ୍ତଙ୍କ ନଜର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.