ଇତିହାସ ରଚିଲେ ବିରାଟ କୋହଲି, IPLରେ ଲଗାଇଲେ ୭୦୦ ଚୌକା

Published By : Prameya-News7 Bureau | May 19, 2024 IST

ନୂଆଦିଲ୍ଲୀ ୧୯।୦୫: ଆଇପିଏଲ୍‌ ୨୦୨୪ । ଖୁବ୍‌ ରୋଚକ ହେଉଛି ସବୁ ମ୍ୟାଚ୍‌ । ଦମ୍‌ଦାର ପାରି ଖେଳୁଛନ୍ତି ପ୍ଲେୟର । କିନ୍ତୁ ସବୁଠାରୁ ରୋଚକ ହୋଇଛି ଆରସିବି- ସିଏସ୍‌କେ ମ୍ୟାଚ୍‌ । ଏହି ମ୍ୟାଚରେ ଖୁବ୍‌ ଚାଲୁଛି ବିରାଟ କୋହଲିଙ୍କ ବ୍ୟାଟ । ଚଳିତ ସିଜିନରେ ତାଙ୍କ ବ୍ୟାଟରୁ ବାହାରିଛି ସର୍ବାଧିକ ରନ୍ । କ୍ରମାଗତ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା କୋହଲି ଚଳିତ ସିଜିନ୍‌ର ପ୍ରତ୍ୟେକ ମ୍ୟାଚରେ କରୁଛନ୍ତି କିଛି ନା କିଛି ରେକର୍ଡ । ଟିମ୍‌ର ଶେଷ ଲିଗ୍ ମ୍ୟାଚରେ ମଧ୍ୟ ଏହି ଧାରା ଜାରି ରଖିଛନ୍ତି କୋହଲି । 

ସିଏସ୍‌କେ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର୍‌ ପ୍ରଦର୍ଶନ କରିଛନ୍ତି ଆରସିବି ପ୍ଲେୟର ।  ଆଉ ବିରାଟ କୋହଲି କରିଛନ୍ତି ବଡ ରେକର୍ଡ । ଆଇପିଏଲ୍ର ୬୮ତମ ମ୍ୟାଚ୍‌ରେ କରିଛନ୍ତି ଏହି କୀର୍ତ୍ତିମାନ । ଆରସିବି ଏବଂ ସିଏସକେ ମ୍ୟାଚ୍‌ରେ କରିଛନ୍ତି ଏହି ରେକର୍ଡ । ବାସ୍ତବରେ କୋହଲି ଆଇପିଏଲ୍ ଇତିହାସରେ ଲଗାଇଛନ୍ତି ୭୦୦ ଚୌକା । ଏପରି କରିବାରେ ସେ ହୋଇଛନ୍ତି  ଦ୍ୱିତୀୟ ଖେଳାଳି । ଏହାପୂର୍ବରୁ ଏହି ରେକର୍ଡ କେବଳ ଶିଖର ଧାୱନଙ୍କ ନାଁରେ ରହିଛି । ବର୍ତ୍ତମାନ କୋହଲି ଧାୱନଙ୍କ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି । ଧାୱନ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ସର୍ବାଧିକ ୭୬୮ଟି ଚୌକା ମାରିଛନ୍ତି ।

 ବର୍ତ୍ତମାନ କୋହଲି ମଧ୍ୟ ୭୦୦ରୁ ଅଧିକ ଚୌକା ମାରି ନିଜ ନାଁରେ କରିଛନ୍ତି ଏହି ରେକର୍ଡ । ଏହି ତାଲିକାରେ ଡେଭିଡ ୱାର୍ଣ୍ଣର ୬୬୩ଟି ଚୌକା ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କପରେ ରୋହିତ ଶର୍ମା ରହିଛନ୍ତି ସେ ୫୯୯ଟି ଚୌକା ସହ ଚତୁର୍ଥ ସ୍ଥାନରେ ଏବଂ ୫୦୬ ଚୌକା ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି ।

 ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ କୋହଲି ୨୯ଟି ବଲରେ ୪୭ ରନ୍ ସଂଗ୍ରହ କରି ୩ଟି ଚୌକା ଓ ୪ଟି ଛକା ଲଗାଇଛନ୍ତି । ଏହି ଅବଧି ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ୧୬୨.୦୭ ଥିଲା । ଅଧିନାୟକ ଫାଫ୍ ଡୁ ପ୍ଲେସିସ୍‌ଙ୍କ ସହ ମିଶି କୋହଲି ପ୍ରଥମ ୱିକେଟ୍ ପାଇଁ ୭୮ ରନ୍‌ର ସହଭାଗିତା କରିଥିଲେ। ଆଇପିଏଲ ଇତିହାସରେ ବିରାଟ କୋହଲି ସର୍ବାଧିକ ରନ୍ ସ୍କୋରର ଅଟନ୍ତି । 

ଟୁର୍ନାମେଣ୍ଟର ୨୫୧ଟି ମ୍ୟାଚ୍‌ର ୨୪୩ଟି ଇନିଂସରେ ବ୍ୟାଟିଂ କରି ସେ ୭୯୭୧ ରନ୍‌ ସଂଗ୍ରହ କରିଛନ୍ତି ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟ୍  ୧୩୧.୯୫ ରହିଛି । ଏହି ଅବଧିରେ ସେ ୮ଟି ଶତକ ଏବଂ ୫୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କୋହଲି ପୁରା ଆଇପିଏଲ୍‌ରେ ୭୦୨ଟି ଚୌକା ଏବଂ ୨୭୧ଟି ଛକା ମାରିଛନ୍ତି ।  

ଖବର ଅନୁଯାୟୀ ବିରାଟ କୋହଲି ଆଇପିଏଲ୍ ୨୦୨୪ରେ ଅରେଞ୍ଜ କ୍ୟାପ୍‌ର ହକ୍‌ଦାର ଅଛନ୍ତି ।  ୧୪ଟି ମ୍ୟାଚ୍‌ର ୧୪ଟି ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୬୪.୩୬ ଏବଂ ୧୫୫.୬୦ ଷ୍ଟ୍ରାଇକ୍ ରେଟ୍ ସହ କରିଛନ୍ତି ୭୦୮ ରନ୍‌ । ଏହି ଅବଧି ମଧ୍ୟରେ ସେ ଗୋଟିଏ ଶତକ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କୋହଲି ୫୯ଟି ଚୌକା ଏବଂ ୩୭ଟି ଛକା ମାରିଛନ୍ତି । ଆଗକୁ ରଚିପାରନ୍ତି ଆହୁରି ଅନେକ ରେକର୍ଡ ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.