୩୬ ବର୍ଷରେ ପାଦ ଥାପିଲେ କ୍ରିକେଟ ଜଗତର କିଙ୍ଗ, ୯ ବର୍ଷ ବୟସରେ ଆରମ୍ଭ କରିଥିଲେ ଖେଳ

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ ୦୫/୧୧: କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ଖୁବ୍ କମ୍ ବୟସରେ ଆରମ୍ଭ କରିଥିଲେ କ୍ରିକେଟ ଖେଳ । ସାମାନ୍ୟ ମଧ୍ୟବିତ୍ତ ଘରୁ ଆସି ପୂରା ବିଶ୍ୱରେ ନାମ କମାଇ ପାରିଥିବା ନାଁ ହେଉଛି ବିରାଟ । ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍‌ରେ ICC କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାମରେ କରିସାରିଛନ୍ତି । 

ଉଦୀୟମାନ ତାରକାରୁ ସେ ଆଜି ଲିଜେଣ୍ତ । ନିଜ ନିଷ୍ଠା ବଳରେ ସେ ବିଶ୍ୱ କ୍ରିକେଟକୁ ପରାସ୍ତ କରି ହାସଲ କରିଛନ୍ତି କିଙ୍ଗର ଖିତାବ । କିଙ୍ଗ କୋହଲି..ପ୍ରତିଟି ପ୍ରଂଶକଙ୍କ ହୃଦୟରେ କରୁଛନ୍ତି ରାଜ୍ । ନାମ ପାଇବାକୁ କେତେ ଯେ ସଂଘର୍ଷ କରିବାକୁ ପଡ଼ିଥିବ, ତାହା କେବଳ ସଂଘର୍ଷ କରିଥିବା ବ୍ୟକ୍ତି ହିଁ ଜାଣିଥିବ । ଦିଲ୍ଲୀର ଏକ ଛୋଟ ପିଲା ନିଜ ପରିଶ୍ରମ ବଳରେ ଆଜି ସେ ଏତେ ବଡ଼ ହୋଇପାରିଛି ଯେ, କେବଳ ଦେଶ ନୁହେଁ ପୂରା ବିଶ୍ୱ ଦିୱାନା ପାଲଟି ଯାଇଛି । 

ଧୈର୍ଯ୍ୟ ଓ ସାହାସର ଅନ୍ୟନାମ କୋହଲି । ଯୁବାବସ୍ଥାରେ ଯେତେବେଳେ ସେ ନିଜ ଦିଲ୍ଲୀ ଟିମ୍ ପକ୍ଷରୁ ଖେଳୁଥିଲେ, ସେତେବେଳେ ପିତାଙ୍କ ଦେହାନ୍ତ ଖବର ପାଇଥିଲେ କୋହଲି । ତଥାପି ହାରି ଯାଇନଥିଲେ ବିରାଟ । ଦମ୍‌ଦାର ପ୍ରଦର୍ଶନ କରି ନିଜ ଦଳକୁ ଜିତାଇଥିଲଲେ । ନିଜ ପିତାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ପ୍ରଥମ ପାଦ ରଖିଥିଲେ । ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବିରାଟ । ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି ସେ । ପରେ ପରେ ସେ ଭାରତୀୟ U-୧୯ ଟିମ୍‌ରେ ସିଲେକ୍ଟ ହୋଇଥିଲେ । 

ୱାର୍ଲ୍ଡ କପ୍ ପାଇଁ ତାଙ୍କୁ କ୍ୟାପଟେନ୍ କରାଯାଇଥିଲା । ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍ ଜିତିଥିଲା ଭାରତର ଜୁନିଅର୍ ଟିମ୍ । ପରେ ପରେ ୨୦୦୮ ରେ ଦିନିକିଆରେ ସ୍ଥାନ ପାଇଲେ ବିରାଟ । ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ବିରାଟ ନିଜ ଯାଦୁରେ ସମସ୍ତଙ୍କୁ ଚକିତ କରିସାରିଥିଲେ । ଏହି ଗୋଟିଏ ଦଶନ୍ଧିରେ ସେ କୋହଲିରୁ ପାଲଟିଥିଲେ କିଙ୍ଗ କୋହଲି । ୨୦୨୨, ଟିଟ୍ୱେଣ୍ଟି ୱାର୍ଲ୍ଡ କପ । ଦିନ ୨୩ ଅକ୍ଟୋବର । ପାକିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ । ଭାରତ ପାଇଁ ଟାର୍ଗେଟ ୧୬୦ ଥିଲା । 

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଷ୍ଟାଡିୟମ, ସାମ୍ନାରେ ଲକ୍ଷେ ୨୦ ହଜାର ଦର୍ଶକ । ପ୍ରଥମେ କେଏଲ ରାହୁଲ, ରୋହିତ ଶର୍ମା ପରେ ପରେ ଅକ୍ଷର ପଟେଲ, ଧିରେ ଧିରେ ସବୁ ବ୍ୟାଟର ଆଉଟ ହେବାରେ ଲାଗିଥିଲେ । ଭାରତର ଆସନ୍ନ ପରାଜୟ ଆଶଙ୍କାରେ ପୁରା ଷ୍ଟାଡିୟମରେ ନିରବତା ଖେଳି ଯାଇଥିଲା । କିନ୍ତୁ କ୍ରିଜରେ ଥିଲେ ବିରାଟ କୋହଲି  । ସେ ସମୟରେ ସେ ହାରିଶ ରୌଫଙ୍କୁ ମାରିଥିବା ଦୁଇଟି ଛକା, ଆଜି ଯାଏଁ କ୍ରିକେଟ ପ୍ରେମୀଙ୍କ ମନରୁ ଲିଭି ପାରିନି । 

ବୋଲିଂ ବାହିନୀକୁ ନେଇ ଗର୍ବ କରୁଥିବା ପାକିସ୍ତାନ ଦଳର ଗର୍ବକୁ ଭାଙ୍ଗି ଦେଇଥିଲେ ବିରାଟ । ଦୁନିଆ ଦେଖିଥିଲା ବିରାଟଙ୍କର ଶକ୍ତି । ପରେ ପରେ ସେ ଶତକ ପରେ ଶତକ ହାସଲ କରି ଚାଲିଛନ୍ତି । ଦିନିକିଆରେ ସଚିନଙ୍କ ପରେ ସେ ଦ୍ୱିତୀୟ ସର୍ବାଧିକ ଶତକ ହାସଲ କରିଛନ୍ତି । ନିଜର କଠୋର ପରିଶ୍ରମ, ସଂଘର୍ଷ ତଥା ଅଧ୍ୟବସାୟ ଦ୍ୱାରା ସେ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ପାରିଛନ୍ତି । ଆଜି ସେହି ମହାନ କ୍ରିକେଟରଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.