୧୧ ବର୍ଷ ତଳେ ଆଜିର ଦିନରେ କୋହଲି ଲଗାଇଥିଲେ ପ୍ରଥମ ଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଛନ୍ତି ସର୍ବାଧିକ ସେଞ୍ଚୁରୀ

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ, ୨୪୧୨ଚଳିତ ଦଶକର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜିର ଦିନରେ ୧୧ ବର୍ଷ ତଳେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଶତକ ଲଗାଇଥିଲେ । ସେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମୁକାବିଲାରେ ବିଜୟ ଲକ୍ଷ୍ୟକୁ ପିଛା କରି ୧୦୭ ରନ୍ କରିଥିଲେ । ସେ ଏବେସୁଦ୍ଧା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୭୦ଟି ଶତକ ଲଗାଇଛନ୍ତି । ସେହିପରି ସଚିନ ତେନ୍ଦୁଲକର ୧୦୦, ରିକି ପଣ୍ଟିଂ ୭୧ଟି ଶତକ ଲଗାଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କ ଉପଲ ଥରଙ୍ଗାଙ୍କ ୧୧୫ ରନ୍ ବଳରେ ୩୧୫ ରନ୍ କରିଥିଲା । ଭାରତ ୩୧୬ ରନର ପିଛା କରୁଥିବା ବେଳେ ଓପନିଂ ଯୋଡି ବିଫଳ ହୋଇଥିଲେ । ତେବେ ବିରାଟ ତୃତୀୟ ଓ୍ୱିକେଟରେ ଗୌତମ ଗମ୍ଭୀରଙ୍କ ସହ ୨୨୪ ରନ୍‌ର ପାର୍ଟନରସିପ୍ କରିଥିଲେ । ଏହି ଇନିଂସରେ କୋହଲି ୧୧୪ ବଲରୁ ୧୧ ଚୌକା ଓ ଗୋଟିଏ ଛକା ସହ ୧୦୭ ରନ୍ କରିଥିଲେ । ଗମ୍ଭୀର ମଧ୍ୟ ଏହି ମ୍ୟାଚରେ ୧୫୦ ରନ୍ କରିଥିଲେ । ଭାରତ ଏହି ମୁକାବିଲା ୭ ଓ୍ୱିକେଟରେ ଜିତି ନେଇଥିଲା ।

କୋହଲି ଟେଷ୍ଟରେ ୪୩ ଓ ଦିନିକିଆରେ ୨୭ଟି ଶତକ ଲଗାଇଛନ୍ତି । ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିବା ପାଇଁ ଇଂଲଣ୍ଡରେ ହେବାକୁ ଥିବା ସିରିଜକୁ ଅପେକ୍ଷା କରିବାକୁ ପଡିବ । ଏବେ କୋହଲି ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ପିତୃତ୍ୱ ଅବକାଶ ନେଇ ଭାରତ ଫେରି ଆସିଛନ୍ତି ।

କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୧୫ଟି, ଶ୍ରୀଲଙ୍କା ବିପକ୍ଷରେ ୧୩, ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୧, ନ୍ୟୁଜିଲାଣ୍ଡ-ଇଂଲଣ୍ଡ ବିପକ୍ଷରେ ୮ଟି ଲେଖାଏଁ, ଦକ୍ଷିଣ ଆଫ୍ରିକା ବିରୋଧରେ ୭, ବାଂଲାଦେଶ ବିପକ୍ଷରେ ୫ ଓ ପାକିସ୍ତାନ ବିପକ୍ଷରେ ୨ଟି ଓ ଜିମ୍ବାଓ୍ୱେ ବିପକ୍ଷରେ ଗୋଟିଏ ଶତକ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.