ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
4/07/2022 at 8:34 AM

ନୂଆଦିଲ୍ଲୀ ୦୪/୦୭: ଦ୍ୱିତୀୟ ପାଳିରେ ଭଲ ଆରମ୍ଭ କରିଥିଲେ ବିରାଟ କୋହଲି । ଗୋଟିଏ ଦୁଇଟି ଭଲ ସଟ୍ ବି ଖେଳିଲେ । କିନ୍ତୁ ବେନ୍ ଷ୍ଟୋକସଙ୍କ ଏକ ବଲରେ କଟ୍ ବିହାଇଣ୍ଡ୍ ହେଲେ ସେ । କ୍ୟାଚ୍ ଧରିଦେଲେ ଓ୍ୱିକେଟ୍ କିପର୍ ସାମ୍ ଓ୍ୱିଲିଙ୍ଗସ୍ ପାଖରେ ଛିଡା ହୋଇଥିବା ଜୋ ରୁଟ୍ । ଆଉ ପ୍ୟାଭିଲିୟନ ଫେରିଲେ ରନ୍ ମେସିନ୍ ।
ଫ୍ୟାନ୍ ଆଶା କରିଥିଲେ ଯେ, ବିରାଟ ଏହି ଟେଷ୍ଟରେ ଶତକ ଲଗାଇବେ । କିନ୍ତୁ ଏପରି ହୋଇପାରିନଥିଲା । ଦ୍ୱିତୀୟ ପାଳିରେ ବିରାଟ କୋହଲିଙ୍କ ଓ୍ୱିକେଟ୍ ବେନ୍ ଷ୍ଟୋକସ୍ ନେଲା ପରେ ସେ ଏକ ଖାସ୍ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ବିରାଟଙ୍କୁ ଟେଷ୍ଟରେ ସବୁଠୁ ଅଧିକ ଆଉଟ୍ କରିଥିବା ବୋଲର ତାଲିକାରେ ପ୍ରବେଶ କରିଛନ୍ତି ଷ୍ଟୋକସ୍ । ସେ ୬ ଥର ବିରାଟଙ୍କୁ ଆଉଟ୍ କରିଛନ୍ତି । ତେବେ ତାଲିକାରେ ଯୁଗ୍ମ ଭାବେ ଆଗରେ ଅଛନ୍ତି ଜେମ୍ସ ଆଣ୍ଡରସନ୍ ଓ ନାଥନ ଲାୟନ । ଉଭୟ ୭ ଥର ଲେଖାଏଁ ବିରାଟଙ୍କୁ ଆଉଟ୍ କରିଛନ୍ତି ।
ଏହି ସିରିଜକୁ ଦେଖିଲେ ବିରାଟ ୫ଟି ମ୍ୟାଚରୁ ମାତ୍ର ୨୪୯ ରନ୍ କରିଛନ୍ତି । ବିରାଟଙ୍କ ଆଭରେଜ୍ ରହିଛି ୨୭.୬୬ । ସିରିଜରେ ସେ ମାତ୍ର ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସିରିଜର ପ୍ରଥମ ଚାରି ମ୍ୟାଚ୍ ୨୦୨୧ରେ ଖେଳାଯାଇଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି । କିନ୍ତୁ କରୋନା ପାଇଁ ଶେଷ ମ୍ୟାଚ୍ ଖେଳାଯାଇପାରିନଥିଲା । ଯାହା ଏବେ ଖେଳାଯାଉଛି ।
ଭାରତର ସ୍ଥିତି ମଜବୁତ
ଶେଷ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୧୬ ରନ୍ ସ୍କୋର କରିଥିଲା । ଋଷଭ ପନ୍ତଙ୍କ ୧୪୬ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ୍ ବଳରେ ଭାରତ ୪୦୦ ରନ୍ ଅତିକ୍ରମ କରିଥିଲା । ବୋଲିଂରେ ମଧ୍ୟ ବୋଲର ଇଂଲିଶ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ । ଫଳରେ ଘରୋଇ ଦଳ ପ୍ରଥମ ଇନିଂସରେ ୩୦୦ ରନ୍ ଛୁଇଁବା ଆଗରୁ ଅଲଆଉଟ୍ ହୋଇଯାଇଥିଲା ।