କେଦାରନାଥରେ VIP ଦର୍ଶନ ବନ୍ଦ, ସାଧାରଣ ଜନତାଙ୍କ ସହ ଦର୍ଶନ କରିବେ ମାନନୀୟ

Published By : Prameya-News7 Bureau | May 13, 2022 IST

ଡେରାଡୁନ ୧୩।୫: ଚାରଧାମ ଯାତ୍ରାରେ କେଦାରନାଥ ଧାମରେ ବେଳକୁ ବେଳ ଦର୍ଶନାର୍ଥୀଙ୍କ ଭିଡ ବଢୁଛି। ଏହାକୁ ନଜରରେ ରଖି ପ୍ରଶାସନ ଶୁକ୍ରବାର ଭିଆଇପି ଦର୍ଶନ ଉପରେ ରୋକ ଲଗାଇଛନ୍ତି। ଏବେ ସବୁ ଭିଆଇପି ମଧ୍ୟ ସାଧାରଣ ଲୋକଙ୍କ ଗହଣରେ ଯାଇ ଦର୍ଶନ କରିବେ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି। ଏଥିଲାଗି ମାତ୍ର ୨ ଘଣ୍ଟା ସମୟ ମିଳିବ ବୋଲି ଡିଜିପି କହିଥିବା ବେଳେ ପୂର୍ବରୁ ଉପଯୁକ୍ତ ବ୍ୟବସ୍ଥା ହୋଇ ନ ପାରିବାରୁ ୨୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଯେଉଁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନେ ଯାତ୍ରା କିଛି ଦିନ ଟାଳି ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। କରୋନା ଯୋଗୁ ବନ୍ଦ ଚାରଧାମ ଯାତ୍ରା ପ୍ରାୟ ୨ ବର୍ଷ ପରେ ପୁଣି ଆରମ୍ଭ ହୋଇଛି। ଦର୍ଶନ ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚୁଥିବା ବେଳେ ଗତ ୬ ଦିନରେ ୧ ଲକ୍ଷ ୩୦ ହଜାର ଭକ୍ତ କେଦାରନାଥ ଦର୍ଶନ କରିଥିବା ଜଣାପଡିଛି। ଏଣୁ ଭକ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ଭିଆଇପି ଦର୍ଶନ ଉପରେ କଟକଣା ଜାରି କରିଛି।

{"id":627814,"width":838,"height":997,"sizeSlug":"full","linkDestination":"none"}

ତେବେ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ରୁଦ୍ର ପ୍ରୟାଗରେ ଅସୁସ୍ଥ ୧୧ ଜଣଙ୍କୁ ଏୟାର ଲିଫ୍ଟ କରି ଅନ୍ୟ ସ୍ଥାନକୁ ପଠା ଯାଇଛି। କେବଳ କେଦାରନାଥ ନୁହେଁ ବଦ୍ରିନାଥ ଓ ୟମୁନେତ୍ରୀରେ ମଧ୍ୟ ପ୍ରଶାସନିକ ଅବହେଳା ଦେଖିବାକୁ ମିଳିଛି। ସେପଟେ ବଢୁଥିବା ଯାତ୍ରୀ ଭିଡକୁ ଦେଖି ମନ୍ଦିର ମାନଙ୍କରେ ଆଇଟିବିପି ଓ ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି।

ଏହା ଛଡା ବିଭିନ୍ନ ମାର୍ଗରେ ପୋଲିସ ଜବାନମାନେ ଯାତ୍ରୀଙ୍କୁ ସହାୟତା ମଧ୍ୟ କରୁଛନ୍ତି। ଏହା ପୂର୍ବରୁ ଅବହେଳା ମାମଲା ସାମ୍ନାକୁ ଆସିଥିଲା। ଏଣୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିରରେ ଦର୍ଶାନାର୍ଥୀମାନେ ଧାଡ଼ି ବାନ୍ଧି ଦର୍ଶନ କରିବେ। ୨ ଘଣ୍ଟାରେ ଯାତ୍ରୀଙ୍କ  ଦର୍ଶନ ସରିବ ବୋଲି କୁହାଯାଇଛି। ଏଥିରେ ଆଉ ଆଗଭଳି ଭିଆଇପି ଦର୍ଶନାର୍ଥୀଙ୍କୁ ସୁଯୋଗ ଦିଆଯିବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.