ବନ୍ଦ ନାଁରେ ବ୍ୟାପକ ହିଂସା: କେମିତି ଥିଲା ଆଜି ପୁରୀର ଚିତ୍ର…ପଢନ୍ତୁ ଏଇ ରିପୋର୍ଟ

Published By : Prameya-News7 Bureau | October 03, 2018 IST

ପୁରୀ ୩|୧୦: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ଶ୍ରୀକ୍ଷେତ୍ର ପୁରୀରେ ଉତ୍ତେଜନା । ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କଲା ପୋଲିସ । ଆନ୍ଦୋଳନକାରୀମାନେ ବଡ଼ ଦାଣ୍ଡରେ ଠାକୁ ଠା ନିଆଁ ଜାଳିବା ସହ ବଳଗଣ୍ଡି ଛକ ଟ୍ରାଫିକ୍ ପୋଷ୍ଟକୁ ମଧ୍ୟ ପୋଡ଼ିଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟ, ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ବାସଭବନ ଓ ସିଂହଦ୍ବାରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ପୁରୀ ଟାଉନଥାନା ଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଅଂଚଳରେ ୧୪୪ଧାରା ଜାରି କରାଯାଇଛି । ଏଥି ସହ ବଡ଼ ଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । [gallery ids="47229"] ଜଳିଲା ଜଗନ୍ନାଥଧାମ୍ ପୁରୀ । ରଣକ୍ଷେତ୍ର ପାଲଟିଲା ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୧୨ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ଯାହାକୁ ବିଭିନ୍ନ ଅନୁଷ୍ଠାନ ଏବଂ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଥିଲେ । ବନ୍ଦ ବେଳେ ପୁରୀରେ ସୃଷ୍ଟି ହୋଇଥିଲା ଅପ୍ରିତିକର ପରିସ୍ଥିତି । ଆନ୍ଦୋଳନକାରୀମାନେ ଶ୍ରୀମନ୍ଦିର ଚାରି ଦ୍ବାରରେ ଲାଗିଥିବା ହୋର୍ଡିଂ ଚିରି ଦେବା ସହ ୨ଟି ସ୍କାନର ମେସିନ ଓ ୪ଟି ମେଟାଲ ଡିଟେକ୍ଟର ଭାଙ୍ଗି ଦେଇଥିଲେ । [gallery ids="47230,47232"] ପ୍ରଶାସନ ପକ୍ଷରୁ ନିର୍ମାଣକରାଯାଇଥିବା ଜୋତା ଷ୍ଟାଣ୍ଡକୁ ମଧ୍ୟ ଭାଙ୍ଗିଦେଇଥିଲେ । ଏଥି ସହ ସିଂହଦ୍ବାର ଥାନା ଉପରକୁ ଢ଼େଲା ପଥର ମାଡ଼ କରିବା ସହ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଟେଣ୍ଟ୍ରେ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ । ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଘର ଆଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଅଫିସକୁ ମଧ୍ୟ ଧସେଇ ପଶିଥିଲେ ଆନ୍ଦୋଳନକାରୀ । ବଳଗଣ୍ଡି ଛକରେ ଥିବା ଟ୍ରାଫିକ୍ ପୋଷ୍ଟ ପୋଡ଼ିଦେଇଥିଲେ । ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯାଇଥିବା ବ୍ୟାରିକେଡ୍କୁ ଭାଙ୍ଗି ଦେଇଥିଲେ ଆନ୍ଦୋଳନକାରୀ ।  ଆନ୍ଦୋଳନକାରୀଙ୍କ ଉତ୍ପାତ ଯୋଗୁଁ ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର ।  ବଡ଼ଦାଣ୍ଡରେ ଆନ୍ଦୋଳନକାରୀ ଏବଂ ପୋଲିସ କର୍ମୀଙ୍କ ଭିତରେ ଛକାପଞ୍ଝା ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାର୍ଜ କରିବା ସହ ଟିୟର ଗ୍ୟାସ୍ ଏବଂ ରବର ବୁଲେଟ୍ ମାଡ଼ ମଧ୍ୟ କରିଥିଲା ।  ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଥିଲା ପୋଲିସ । ପୁରୀ ଟାଉନଥାନା ଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଅଂଚଳରେ ୧୪୪ଧାରା ଜାରି କରାଯାଇଛି । [gallery ids="47231"] ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ପ୍ରସ୍ତୁତି ଆରମ୍ଭ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ପ୍ରାଥମିକ ପର୍ଯ୍ୟାୟରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା । ହେଲେ ଏହାକୁ ବିରୋଧ କରିଥିଲେ କିଛି ସେବାୟତ ଆଉ ଶ୍ରୀଜଗନ୍ନାଥ ସେନା ।  ସାମ୍ବାଦିକଙ୍କୁ ମାଡ଼, ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା ଭଳି ପ୍ରସଙ୍ଗରେ ୯ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଥିଲେ ଆନ୍ଦୋଳନକାରୀ । ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ ଯୋଗୁଁ ପୁରୀରେ ଜନଜୀବନ ପୂରା ଠପ୍ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.