ଦୟନୀୟ ସ୍ଥିତିରେ କଟୁଛି ବିନୋଦ କାମ୍ବଲିଙ୍କ ଜୀବନ, ପେନସନ ହିଁ ଭରସା, ମାସକୁ ମାତ୍ର ଏତିକି ଟଙ୍କା ରୋଜଗାର

Published By : Prameya-News7 Bureau | August 17, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟରେ ପଦାର୍ପଣ କରିଥିବା ବ୍ୟାଟସମ୍ୟାନ ବିନୋଦ କାମ୍ବଲି ସଂପ୍ରତି ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି। ବିସିସିଆଇରୁ ମିଳୁଥିବା ପେନସନ ହିଁ ତାଙ୍କ ଆୟର ମୁଖ୍ୟ ସାଧନ। ଏଥିରେ ତାଙ୍କୁ ଚଳିବା ବହୁତ ମୁସ୍କିଲ ହେବାରେ ଲାଗିଛି। କ୍ରିକେଟ୍‌ର ପିଚ୍‌ରେ ବୋଲରଙ୍କୁ ପାଣି ପିଆଉଥିବା କାମ୍ବଲି କେବେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିଲେ। ମାତ୍ର ଆଜି ତାଙ୍କୁ ଟଙ୍କେ ଟଙ୍କେ ପାଇଁ ସଂଘର୍ଷ କରିବା କରିବା ସହ କାମ ଖୋଜିବାକୁ ପଡୁଛି।

୧୯୭୨ ଜାନୁଆରୀ ୧୮ରେ ମୁମ୍ବାଇରେ ଜନ୍ମିତ ବିନୋଦ କାମ୍ବଲି ଏବଂ ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚ୍ରେକର ମଧ୍ୟ ମାଷ୍ଟର ବ୍ଲାଷ୍ଟରଙ୍କଠୁ କାମ୍ବଲି ଅଧିକ ପ୍ରତିଭାବାନ ବୋଲି କହିଥିଲେ। ମାତ୍ର ଏହାକୁ ଭାଗ୍ୟର ଖେଳ କୁହାଯିବ ଯେ, ସଚିନ ସଫଳତାର ଶୀର୍ଷ ଛୁଇଁଥିବା ବେଳେ ବିନୋଦ କାମ୍ବଲି ରସାତଳଗାମୀ ହୋଇ ଯାଇଛନ୍ତି। ବର୍ତ୍ତମାନ କାମ୍ବଲିଙ୍କୁ ବିସିସିଆଇଠୁ ପେନସନ ଭାବେ ମାସକୁ ୩୦ ହଜାର ଟଙ୍କା ମିଳୁଛି। ଅର୍ଥାତ ଦିନକୁ ତାଙ୍କର ଆୟ ମାତ୍ର ୧୦୦୦ ଟଙ୍କା।

{"id":672424,"sizeSlug":"full","linkDestination":"none"}

ବିନୋଦ କାମ୍ବଲିଙ୍କ ମୋଟ୍ ସଂପତ୍ତି

 ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ମୋଟ୍ ସଂପତ୍ତି ୧ରୁ ୧.୫ ମିଲିୟନ ଡଲାର ହେବ। ୨୦୨୨ ଆରମ୍ଭରେ ତାଙ୍କର ବାର୍ଷିକ ଆୟ କେବଳ ୪ ଲକ୍ଷ ଟଙ୍କାରେ ସୀମିତ ରହିଥିଲା। ହେଲେ ତାଙ୍କ ପାଖରେ ନିଜର ଘର ରହିଛି। ମାତ୍ର ଦେଶର ଆର୍ଥିକ ରାଜଧାନୀରେ ଏତେ କମ ଟଙ୍କାରେ ଚଳିବା ବହୁତ  ମୁସ୍କିଲ। ତାଙ୍କ ନିକଟରେ ରେଞ୍ଜ ରୋଭର କାର ମଧ୍ୟ ରହିଛି। ହେଲେ ଏହାକୁ ଚଲାଇବା ତାଙ୍କ ପକ୍ଷେ ମୁସ୍କିଲ ହୋଇ ପଡିଛି।

କରୋନା ପରେ ବଦଳିଗଲା ସ୍ଥିତି

କ୍ରିକେଟରୁ ଦୂରରେ ଥିଲେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ନିକଟରେ ଆୟର ଅନେକ ସାଧନ ରହିଥିଲା। ସେ କ୍ରିକେଟରେ କମେଣ୍ଟ୍ରି କରିବା ସହ ବିଜ୍ଞାପନରେ କାମ କରୁଥିଲେ। ଏଥିରୁ ତାଙ୍କର ଭଲ ଆୟ ହେଉଥିଲା। ଏପରିକି ସେ ଫିଲ୍ମରେ ଅଭିନୟ କରି କିଛି ଆୟ ମଧ୍ୟ କରୁଥିଲେ। ହେଲେ ସମୟ ସହିତ ତାଙ୍କ ଆୟର ସାଧନ କମିବାରେ ଲାଗିଥିଲା। କରୋନା ମହାମାରୀ ପରଠୁ ତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହେବାରେ ଲାଗିଥିଲା।

ସର୍ବଦା ସାହାଯ୍ୟ କରିଛନ୍ତି ତେନ୍ଦୁଲକର

{"id":672422,"sizeSlug":"full","linkDestination":"none"}

୫୦ ବର୍ଷୀୟ ବିନୋଦ  କାମ୍ବଲିଙ୍କ ପୂରା ନାମ ବିନୋଦ ଗଣପତି କାମ୍ବଲି। ସେ ଦଶମ ଯାଏଁ ପଢିଛନ୍ତି। ଆୟର ସବୁ ଉତ୍ସ ବନ୍ଦ ହେବା କାରଣରୁ ତାଙ୍କୁ ଏବେ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡୁଛି। ଏହି ସମସ୍ୟାଗୁଡିକୁ ନିଜେ ସେ ବଖାଣିଛନ୍ତି। କାମ୍ବଲି କହିଛନ୍ତି, ତାଙ୍କର ପୂର୍ବତନ ସାଥୀ ତଥା ବନ୍ଧୁ ସଚିନ ତେନ୍ଦୁଲକର ତାଙ୍କର ଏହି ଅବସ୍ଥା ବିଷୟରେ ଜାଣିଛନ୍ତି। ମାତ୍ର ସେ ତାଙ୍କଠୁ କିଛି ଆଶା କରିବେ ନାହିଁ, କାରଣ ସଚିନ ତାଙ୍କର ବହୁତ ସାହାଯ୍ୟ କରିଛନ୍ତି।

୨୦୧୯ରେ ଶେଷ ଥର କୋଚିଂ

କାମ୍ବଲି ୨୦୧୯ରେ ଶେଷ ଥର କୌଣସି ଦଳର କୋଚିଂ ଦାୟିତ୍ଵ ସମ୍ଭାଳିଥିଲେ। ସେହି ସମୟରେ ସେ ଟି-୨୦ ମୁମ୍ବାଇ ଲିଗ୍ ସହ ଜଡିତ ଥିଲେ। ଏହା ପରେ ୨୦୨୦ରେ କରୋନା ଭାଇରାସ୍ ପୂରା ଦେଶ ସହିତ କାମ୍ବଲିଙ୍କ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଥିଲା। ମହାମାରୀ ପ୍ରକୋପରେ କାମ୍ବଲିଙ୍କ ନିକଟରେ ବଞ୍ଚିଥିବା ଆୟର ସାଧନ ମଧ୍ୟ ଶେଷ ହୋଇ ଯାଇଥିଲା।

{"id":672423,"sizeSlug":"full","linkDestination":"none"}

୧୦୪ ଦିନିକିଆ, ୧୭ ଟେଷ୍ଟ ଖେଳିଛନ୍ତି

ଭାରତୀୟ ଦଳ ପକ୍ଷରୁ କାମ୍ବଲି ମୋଟ୍ ୧୦୪ ଦିନିକିଆ ଏବଂ ୧୭ଟି ଟେଷ୍ଟ ଖେଳିଛନ୍ତି। ଏଥିରୁ ସେ ମୋଟ୍ ୩୫୬୧ ରନ କରିଛନ୍ତି। ଟେଷ୍ଟରେ ତାଙ୍କ ନାମରେ ଚାରି ଶତକ ଏବଂ ଦିନିକିଆରେ ଦୁଇଟି ଶତକ ରହିଛି। କାମ୍ବଲି ଭାରତ ପାଇଁ ୧୯୯୧ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ୨୦୦୦ ମସିହାରେ ନିଜର ଶେଷ ମ୍ୟାଚ୍ ଖେଳିଥିଲେ।

ବିବାଦରେ ରହିଛନ୍ତି କାମ୍ବଲି

ବିନୋଦ କାମ୍ବଲି ନିଜ କ୍ରିକେଟ୍ କ୍ୟାରିୟର ଅପେକ୍ଷା ବିବାଦ କାରଣରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ପୂର୍ବେ କାମ୍ବଲିଙ୍କୁ ନିଶାରେ ଗାଡି ଚଲାଇବା ଅଭିଯୋଗରେ ଗିରଫ କରାଯାଇଥିଲା। ୨୦୨୨ ଫେବୃଆରୀରେ ବିନୋଦ କାମ୍ବଲି ନିଶାରେ ଡ୍ରାଇଭିଂ କରି ଗୋଟିଏ ଗାଡିକୁ ଧକ୍କା ଦେଇଥିଲେ। ତାଙ୍କ ବିରୋଧରେ ଅଭିଯୋଗ ହେବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ହେଲେ କିଛି ସମୟ ପରେ ତାଙ୍କୁ ଜାମିନ୍ ମିଳି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.