ସାବଧାନ ! ଏହି କିଲର୍ ପେଷ୍ଟିସାଇଡ୍ ଜୀବନ ନେଉଛି ବା ବିକଳାଙ୍ଗ କରିଦେଉଛି ରାଜ୍ୟର ଚାଷୀଙ୍କୁ : ନିଷିଦ୍ଧ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିକଟରେ ଦାବି କଲେ ଭୀମ୍ସାର ଓ ଏମ୍କେସିଜିର ଡାକ୍ତର
16/01/2019 at 5:19 PM

ସମ୍ବଲପୁର ୧୫|୧: କିଲର୍ ପେଷ୍ଟିସାଇଡ୍ । ଏହା ଏମିତି ପ୍ରକାର କୀଟନାଶକ ଯାହା କି, ଘାସ ଓ ଲତାକୁ ସମୂଳେ ନଷ୍ଟ କରିବାକୁ ପ୍ରୟୋଗ କରାଯାଇଥାଏ । ହେଲେ ଏହାର ପ୍ରଭାବରେ ଆସି ମୁଖ୍ୟତଃ ଚାଷୀ ଓ କୃଷି ଶ୍ରମିକମାନେ ପଡୁଛନ୍ତି ମୃତ୍ୟୁ ମୁଖରେ । ଯଦି ବଞ୍ଚିଗଲେ କିଡ୍ନୀ ଓ ଫୁସ୍ଫୁସ୍ ନଷ୍ଟ ହେଉଛି । ନହେଲେ ବିଭିନ୍ନ ଶାରୀରିକ ଅକ୍ଷମତା ଦେଖାଦେଇଛି । ତେଣୁ ଡାକ୍ତରମାନେ ଏହି କୀଟନାଶକକୁ ଆମ ରାଜ୍ୟରେ ନିଷିଦ୍ଧ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

କିଲ୍ର ପେଷ୍ଟିସାଇଡ୍ସକୁ ବ୍ୟାନ୍ କରାଯାଉ। ଏପରି ଦାବି କରିଛନ୍ତି, ବୁର୍ଲା ଭୀମ୍ସାରର ବରିଷ୍ଠ ଡାକ୍ତର ଓ ଗବେଷକ । ପାରାକ୍ବାଟ୍ ନାମକ କୀଟନାଶକ ସଂଷ୍ପର୍ଶରେ ଆସିଥିବା ୧୦୪ଜଣ ରୋଗୀ ବୁର୍ଲା ମେଡିକାଲ୍କୁ ଆସିଥିଲେ ଚିକିତ୍ସା ପାଇଁ । ୯୬ ଜଣଙ୍କ ଜୀବନ ଯାଇଛି । ଜଣେ ବିଭିନ୍ନ ଜଟିଳ ବେମାରୀ ଦେଇ ଗତି କରୁଛନ୍ତି । ବାକି ୭ ଜଣ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନା ଛାଡ଼ି ପଳାଇଥିଲେ । ଏମିତି କିଛି ତଥ୍ୟ ଆସିଛି ଗେବଷଣାରୁ । ପାରାକ୍ବାଟ୍ ସିଞ୍ଚନ ବେଳେ ଯଦି ନିଶ୍ବାସରେ ଗ୍ରହଣ କରିନେଲେ ତାହେଲେ ସାଙ୍ଗେସାଙ୍ଗେ ଫୁସ୍ଫୁସ୍,ଲିଭର ଓ କିଡ୍ନୀ ସଂକ୍ରମଣ ହୋଇଥାଏ । ଏପରି କୀଟନାଶକକୁ ପୁର୍ବରୁ ଆମେରିକା,ଶ୍ରୀଲଙ୍କା ଭଳି ଦେଶରେ ନିଷିଦ୍ଧ କରାଯାଇଛି । ଆନ୍ଧ୍ରପ୍ରଦେଶ ଓ କେରଳରେ ଏହାକୁ ନିଷିଦ୍ଧ କରାଯିବାକୁ ଦାବି ମଧ୍ୟ ଉଠିଛି ।

ଏହି କମ୍ପୋଜିସନ୍ର ପାରାନେକ୍,ପାରାଗ୍ରାମ୍,ପାରାକ୍ବେମ୍ ଓ ପାରାଗ୍ରୀପ୍ ଭଳି ଅନେକ ବ୍ରାଣ୍ଡ୍ର କୀଟନାଶକ ବଜାରରେ ଖୋଲାଖୋଲି ବିକ୍ରି ହେଉଛି । ଏହି କୀଟନାଶକ ପଡିଥିବା ଘାସ କି ଲତା ଗାଇକୁ ଖାଇବାକୁ ଦେଲେ ତାର ମୃତ୍ୟୁ ହୁଏ ନହେଲେ ପାରାଲେସିସ୍ ଆକ୍ରାନ୍ତ କରିଥାଏ । ତେଣୁ ଏହାକୁ ଆମ ରାଜ୍ୟରେ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ, ବୁର୍ଲା ଭୀମ୍ସାରର , ବ୍ରହ୍ମପୁର ଏମକେସିଜିର ଡାକ୍ତରମାନେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ।

କୀଟ ନାଶକ ପାଇଁ ଚାଷୀ, କୃଷି ଶ୍ରମିକ ମରଣ ମୁହଁକୁ ଠେଲି ହୋଇଯାଉଛନ୍ତି । ତେଣୁ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।