ନୀଳଗିରି: ଚଳିତବର୍ଷ ଦେଖିବାକୁ ମିଳିଛି ମୌସୁମୀର ଲୁଚକାଳି। କେଉଁଠି ବନ୍ୟା ଦେଖିବାକୁ ମିଳିଥିବାବେଳେ ଅନେକ ସ୍ଥାନରେ ବର୍ଷା ଅଭାବରୁ ଚାଷ କାମ ଆରମ୍ଭ ମଧ୍ୟ ହୋଇନାହିଁ। ବାଲେଶ୍ୱର ନୀଳଗିରି ବଣପାହାଡ଼ ଘେରା ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି।ଏମିତିରେ ଚାଷ କାମ ଆରମ୍ବ ହୋଇପାରିନାହିଁ। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଶେଷରେ ବନାଞ୍ଚଳବାସୀ ଠାକୁରାଣୀଙ୍କ ଶରଣ ପଶିଛନ୍ତି। ପାହାଡ଼ ଉପରେ କରୁଛନ୍ତି ମା’ଙ୍କ ପୂଜାର୍ଚ୍ଚନା। ବିଶ୍ବାସ ରହିଛି ଠାକୁରାଣୀଙ୍କୁ ପୂଜା କଲେ ଭଲ ବର୍ଷା ହେବ।
ବାଲେଶ୍ଵର ଜିଲ୍ଲା ନୀଳଗିରି ସ୍ୱର୍ଣ୍ଣଚୁଡ଼ ପାହାଡ଼ ବାଘମରା ଅମିନକନ୍ଥ ଅଞ୍ଚଳରେ ବିରାଜମାନ ଅଛନ୍ତି ମା’ ସୁନ୍ଦରାଶୁଣି ଠାକୁରାଣୀ। ଅଞ୍ଚଳବାସୀ ମାଆଙ୍କୁ ଗାଁ ଠାକୁରାଣୀ ଭାବେ ପୂଜାର୍ଚ୍ଚନା କରିଥାନ୍ତି।ବିଶ୍ୱାସ ରହିଛି ଯେତେବେଳେ ହୋମଯଜ୍ଞ ସହ ପୂଜାର୍ଚ୍ଚନା କଲେ ନିଶ୍ଚୟ ବର୍ଷା ହୋଇଥାଏ।
ଚଳିତ ବର୍ଷ ଠିକ୍ ଭାବରେ ହୋଇନଥିବାରୁ ଚାଷ କାର୍ଯ୍ୟ ହୋଇନାହିଁ। ତେଣୁ ଗ୍ରାମବାସୀ ମିଳିତ ଭାବେ ପାହାଡ଼ ଉପରକୁ ଯାଇ ମାଆଙ୍କ ରୀତି ନୀତିରେ ପୂଜାର୍ଚ୍ଚନା କରିଛନ୍ତି। ବାଦ୍ୟ, ଶଙ୍ଖ ହୁଳିହୁଳି ପକାଇ ଆରମ୍ବ ହୋଇଥିଲା ହୋମ ଯଜ୍ଞ। କାଳିସି ଠାକୁରାଣୀଙ୍କ ଠାରେ ଦାସୀ ହେବାପରେ ଗ୍ରାମବାସୀମାନେ ମିଳିତ ହୋଇ ପ୍ରସାଦ ସେବନ କରିଥିଲେ।