ପଶୁ ଶିକାର ସହ ମଣିଷକୁ ମାରି ଖାଉଛି ବାଘ ! ସୁରକ୍ଷା ଦାବି କରି ତାତିଲେ ଲୋକେ
3/02/2023 at 10:58 PM

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବାଘ ଆତଙ୍କ। ବାଘ ଆକ୍ରମଣରେ ଜଣଙ୍କ ମୃତ୍ୟୁ ପରେ ତେଜିଲା ଅସନ୍ତୋଷ। କ୍ଷତିପୂରଣ ଓ ସୁରକ୍ଷା ଦାବିରେ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ସେପଟେ ବାଘକୁ ଠାବ କରିବା ପାଇଁ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଇଲା ବନ ବିଭାଗ।
ପାଟଣା ରେଞ୍ଜ୍ ତଣ୍ଡ ବିଟ୍ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ବାଘ ଆତଙ୍କ ଦେଖାଦେଇଛି। ଗତକାଲି ରୋହଣୀଦୁମା ଗ୍ରାମର ଅନନ୍ତ ମାଝୀ ଗାଁ ପାଖ ଜାମୁଳେଇବେଡା ନିକଟ ହାଟକୁ ଆସି ଘରକୁ ଫେରି ନଥିଲେ। ଗାଁ ଲୋକ ଖୋଜାଖୋଜି କରିବା ପରେ ଗାଁ ମୁଣ୍ଡରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା। ଅନନ୍ତଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣପଡ଼ି ନଥିବା ବେଳେ ପରିବାର ଓ ଗ୍ରାମବାସୀ ଅନନ୍ତଙ୍କୁ ବାଘ ମାରିଥିବା ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ମୃତକଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି। ତା ସହିତ ଅଞ୍ଚଳବାସୀଙ୍କ ସୁରକ୍ଷା ଦାବିରେ ଗ୍ରାମବାସୀ ବନ ବିଭାଗ ଗାଡିକୁ ଅଟକ ରଖିବା ସହ ରେଞ୍ଜର ଘାସିନାଥ ପାତ୍ର, ଫୋରଷ୍ଟର ଚିତ୍ତ ରଞ୍ଜନ ପରିଡା ଓ ଫୋରେଷ୍ଟ ଗାର୍ଡ ପ୍ରଯୁକ୍ତା ଜେନାଙ୍କୁ କିଛି ସମୟ ଅଟକ ରଖିଥିଲେ। ଗାଁରେ ଉତ୍ତେଜନା ଲାଗି ରହିଥିଲା।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ବାଘ ମାରିଥିବା ସ୍ପଷ୍ଟ ହେଲେ ବନ ବିଭାଗ ପକ୍ଷରୁ କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି ରେଞ୍ଜର ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଲୋକେ ବନ ବିଭାଗ ଗାଡି ଓ କର୍ମଚାରୀଙ୍କୁ ଛାଡିଥିଲେ ବୋଲି ସୂଚନା ମିଳିଛି।
ସେହିପରି ଦୁଇ ଦିନ ତଳେ ରୋହଣୀଦୁମା ଓ ବଣମହୁଲଡିହା ଗ୍ରାମବାସୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଏକ ବାରହାର ମୃତଦେହ ଠାବ କରିଥିଲେ। ବାରାହା ମୃତଦେହ ପାଖରେ ୪ରୁ ଅଧିକ ପାଦ ଚିହ୍ନ ପଡ଼ିଥିବା ବନ ବିଭାଗ ଦେଖିବାକୁ ପାଇଥିଲା। ଏହି ପାଦ ଚିହ୍ନ ବାଘର ବୋଲି ପାଟଣା ରେଞ୍ଜର ସ୍ପଷ୍ଟ କରିଥିଲେ। ହେଲେ ଏହା କେଉଁ ପ୍ରଜାତିର ବାଘର ପାଦ ଚିହ୍ନ ବୋଲି ତାହା ସ୍ପଷ୍ଟ ହୋଇ ନାହିଁ।

ତେବେ ପାଦଚିହ୍ନ ଉପରେ ପ୍ଲାଷ୍ଟର ଅଫ୍ ପ୍ୟାରିସ ଦେଇ କୋଉ ବାଘର ପାଦ ଚିହ୍ନ ସେ ନେଇ ତଦନ୍ତ ଜାରି ରହିଛି। ଅନ୍ୟପଟେ ପାଦ ଚିହ୍ନ ମିଳିବା ପରେ ବନ ବିଭାଗ ତତ୍ପର ହୋଇ ବାଘକୁ ଠାବ କରିବା ପାଇଁ ବାଘ ଥିବା ଜଙ୍ଗଲରେ ୧୦ ଟି ଟ୍ରାପ୍ କ୍ୟାମେରା ଲଗାଇଛି।