ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ, ଗଣ୍ଡଗୋଳ ସହ ଗାଡି ଭଙ୍ଗାରୁଜା
11/03/2023 at 11:29 AM

ସାଲେପୁର ୧୧।୩: ମହିଳାମାନେ ନଦୀରେ ଗାଧାଉଥିବା ବେଳେ ବାଲିମାଫିଆଙ୍କ କମେଣ୍ଟ ମାରିବାକୁ ନେଇ ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ । ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ । ଗଣ୍ଡଗୋଳରେ ହାଇଓ୍ବା, ଜେସିବି, ମଟରସାଇକେଲ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମେଶ୍ଵର ପଞ୍ଚାୟତ ଭିମରାଜପୁର ଠାରେ । ଆଗରୁ ଏହି ଘଟଣାକୁ ଗ୍ରାମବାସୀମାନେ ବହୁବାର ବିରୋଧ କରିବା ସହ ଘାଟକୁ ପ୍ରଶାସନ ବନ୍ଦ କରିଥିଲା ।

ସୂଚନାଯୋଗ୍ୟ ଯେ, ଆଗରୁ ବିଦ୍ୟାଳୟ ଖେଳ ପଡ଼ିଆ ଦେଇ ବାଲି ଗାଡ଼ି ଚଳାଚଳକୁ ଗ୍ରାମବାସୀଙ୍କ ବିରୋଧ ପରେ ସାଲେପୁର ତହସିଲଦାର ଓ ମାହାଙ୍ଗା ତହସିଲଦାରଙ୍କ ମିଳିତ ତଦନ୍ତ ସମୟରେ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଭିମରାଜପୁର ସ୍କୁଲ ଖେଳ ପଡିଆ ଦେଇ ବାଲି ବୋଝେଇ ଗାଡି ଯାତାୟାତ କରୁଥିବାରୁ ଛାତ୍ରଛାତ୍ରୀମାନେ ପାଠପଢା ସହ ଖେଳିବା ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ବାଲି ଗାଡି ଚଳାଚଳକୁ ବିରୋଧ କରିଆସୁଥିବା ବେଳେ, ଘାଟରେ ମହିଳାମାନେ ଗାଧାଉଥିବା ବେଳେ ବାଲି ମାଫିଆଙ୍କ କମେଣ୍ଟ ମାରିବାକୁ ମଧ୍ୟ ବିରୋଧ କରିଆସୁଥିଲେ । ହେଲେ ଏବେ ବାଲିମାଫିଆଙ୍କ କମେଣ୍ଟମରାର ଶିକାର ହେବା ପରେ ଗ୍ରାମବାସୀମାନେ ଏହି ଘାଟଟିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଦ୍ ଧରିଛନ୍ତି । ଗ୍ରାମବାସୀଙ୍କର ଏହି ଘାଟକୁ ପ୍ରଶାସନ ସମ୍ପୂର୍ଣ୍ଣଭାବେ ବନ୍ଦ ନକଲେ ନଦୀବନ୍ଧ ରାସ୍ତା ଦୁର୍ବଳ ହେବା ସହ ବର୍ଷା ଦିନରେ ବନ୍ୟାର ଆଶଙ୍କା ଦେଖାଦେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଯଦି ପ୍ରଶାସନ ଘାଟକୁ ସମ୍ପୂର୍ଣ୍ଣ ବନ୍ଦ ନକରନ୍ତି ଆଗାମୀ ଦିନରେ ଗ୍ରାମବାସୀ ପକ୍ଷରୁ ଜୋରଦାର ପ୍ରତିବାଦ ସ୍ବରୂପ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି ।