ଧର୍ମ ପରିବର୍ତ୍ତନ କରିଥିବାରୁ ଶବ ସତ୍କାର ପାଇଁ ଗାଁ ମଶାଣିରେ ମିଳିଲାନି ଜାଗା

Published By : Prameya-News7 Bureau | September 23, 2018 IST

କେନ୍ଦୁଝର ୨୩|୯: ଧର୍ମ ପରିବର୍ତ୍ତନ କରିଥିବାରୁ ଶବ ସତ୍କାର ପାଇଁ ଗାଁ ମଶାଣିରେ ଜାଗା ମିଳିଲାନି। ସାହିଭାଇ କେହି କାନ୍ଧ ଦେଲେନି। ପାଖାପାଖି ୩୦ ଘଣ୍ଟା ଘରେ ପଡ଼ିରହିଲା ଶବ। ତଥାପି ଗାଁ ଲୋକେ ସେମାନଙ୍କ ଜିଦ୍ ରେ ଅଟଳ ରହିଲେ। ଶେଷରେ ପୁଲିସ ହସ୍ତକ୍ଷେପ ପରେ ନିଜ ବାଡ଼ିରେ ଶେଷକୃତ୍ୟ ସଂପନ୍ନ ହେଲା। କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ରନ୍ଥମରା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ଗାଁର ପର୍ଶୁରାମ ହାଇବୁରୁଙ୍କ ସମେତ ପ୍ରାୟ ୧୫ ପରିବାର ଧର୍ମ ପରିବର୍ତ୍ତନ କରିଥିଲେ। ପର୍ଶୁରାମ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତ ଶୁକ୍ରବାର ପ୍ରାଣ ହରାଇଥିଲେ । ହେଲେ ତାଙ୍କ ଶବକୁ ଗାଁରେ ପୋତିବାକୁ ଗାଁଲୋକ ବାରଣ କରିଥିଲେ। ଶବକୁ ଅନ୍ୟତ୍ର ନେଇ ପୋତିବାକୁ କୁହାଯାଇଥିଲା। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିଲା। ବିରୋଧ କରୁଥିବା ଗାଁ ଲୋକ ଜଗି ରହିଥିଲେ। ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ସେମାନେ କିଛି ଶୁଣି ନଥିଲେ। ଶେଷରେ ଗାଁ ମଶାଣିରେ ଶବ ପୋତା ନହୋଇ ମୃତକଙ୍କ ପରିବାରର ବାଡ଼ିରେ ପୋତା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.