ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ, ଅନ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଥାନାରେ ଫେରାଦ ହେଲେ ପରିବାର

Published By : Prameya-News7 Bureau | August 15, 2020 IST

ନୀଳଗିରି ୧୫।୮: ନୀଳଗିରି ଥାନା ଅଧିନ ସିଆଡ଼ିମାଳ ପଂଚାୟତ ସୀତାପତିପୁର ଗାଁରେ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲା । ହେଲେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ମୃତକଙ୍କ ବାପା, ସମ୍ପର୍କୀୟ ଓ ଗ୍ରାମବାସୀମାନେ ଥାନାରେ ଫେରାଦ ହୋଇଛନ୍ତି ।

ସୂଚନା ଅନୁସାରେ ସୀତାପତିପୁର ଗ୍ରାମର ଗୁରୁମୋହନ ସିଂଙ୍କ ପୁଅ ଚନ୍ଦନ ସେହି ଗ୍ରାମର ଉମାକାନ୍ତ ବେହେରାଙ୍କ ଝିଅ ସୁଭଦ୍ରାଙ୍କୁ ୮ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ପୂର୍ବରୁ ଚନ୍ଦନ ତାଙ୍କ ସ୍ତ୍ରୀକୁ ନିର୍ଯାତନା ଦେବାସହ ମାଡ଼ ମାରୁଥିବାର ଅଭିଯୋଗ ହୋଇଆସୁଥିଲା । ପୂର୍ବରୁ ଏଭଳି ଘଟଣାକୁ ନେଇ ସୁଭଦ୍ରା ବାପଘରକୁ ପଳାଇଆସିବା ପରେ ଗାଁଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲେ ବି କୌଣସି ସୁଫଳ ମିଳିନଥିଲା ।

ଗତ ୧୧ ତାରିଖ ରାତିରେ ସୁଭଦ୍ରାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାପଘର ଲୋକ ହସ୍ପିଟାଲ ଆଣିବା ବେଳକୁ ତାଙ୍କ ଶ୍ବଶୁରଘର ଲୋକ ସେଠାରେ ନଥିବା ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ତାଙ୍କ ଝିଅକୁ ଚନ୍ଦନ ତାଙ୍କ ପରିବାର ଲୋକଙ୍କ ସହ ମିଶି ପିଟିପିଟି ମାରିଦେଇଥିବା ଅଭିଯୋଗ ଉଠାଇଛନ୍ତି ବାପଘରଲୋକ । ମୃତକଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ପରିବାର ଲୋକେ ଦାବି କରିଛନ୍ତି ।

ତେବେ ଥାନାରେ ଲିଖିତ ଅଭିଯୋଗ ପରେ ସ୍ବାମୀ ଚନ୍ଦନକୁ ଗିରଫ କରାଯାଇଛି । ପୋଲିସ ଶବ ବ୍ୟବଚ୍ଛେଦ ପରେ ତଦନ୍ତ ଜାରି ରଖିଛି । ଅଭିଯୋଗ ସତ୍ତ୍ବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ପ୍ରତିବାଦରେ ଆଜି ଥାନା ଆଗରେ ୪୦ରୁ ଅଧିକ ଗ୍ରାମବାସୀ ପହଁଚିଥିଲେ । ଆଇଆଇସିଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ପରେ ଆଇଆଇସି ମିନତୀ ବିଶ୍ବାଳ ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଶାନ୍ତ ପଡିଥିଲେ । ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ମୃତକଙ୍କ ପରିବାର ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.