ମୌଳିକ ସୁବିଧା ପାଇଁ ଗ୍ରାମବାସୀଙ୍କ ପଦଯାତ୍ରା; ବାରମ୍ୱାର ଅଭିଯୋଗ ପରେ ମଧ୍ୟ ଫଳ ଶୁନ
3/01/2023 at 6:47 PM

ବୋରିଗୁମ୍ମା ୦୩/୦୧: ଗାଁ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗରେ ୨୦ କିଲୋମିଟର ପଦଯାତ୍ରା କରି ପ୍ରତିବାଦ କରିଛନ୍ତି। ପରେ ସେମାନେ ବୋରିଗୁମ୍ମା ବ୍ଲକ ଅଫିସରେ ପହଞ୍ଚି ଅଭିଯୋଗ କରିଛନ୍ତି। ପରେ ସେଠାରେ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଅତିରିକ୍ତ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି। ଏପରି ଏକ ସମସ୍ୟା ମୂଳକ ଘଟଣା ବୋରିଗୁମ୍ମା ବ୍ଲକ ରାଣିଗଡ଼ ଏବଂ ସରଗୀପଦର ଗାଁରେ ଦେଖିବାକୁ ମିଳିଛି।

ଖବର ଅନୁସାରେ, ରାଣିଗଡ଼ ଏବଂ ସରଗୀପଦର ୨ଟି ଗାଁ ପାହାଡ଼ ଉପରେ ଅବସ୍ଥିତ। ସେଠାରେ ଲୋକମାନେ ପାନୀୟ ଜଳ, ରାସ୍ତାଘାଟ, ଶିକ୍ଷା, ଅଙ୍ଗନବାଡ଼ି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ। ଏନେଇ ସେମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରି ଥକି ଗଲେଣି। ତଥାପି ସେମାନଙ୍କୁ କୌଣସି ସୁଫଳ ମିଳୁନି।

ଗତ ନିର୍ବାଚନରେ ଏହି ଦୁଇଟି ଗାଁର ଲୋକମାନେ ଭୋଟ ବର୍ଜନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଶେଷରେ ମଙ୍ଗଳବାର ସମାଜସେବୀ ବି ହରି ରାଓଙ୍କ ନେତୃତ୍ୱରେ ପଦଯାତ୍ରା କରି ଦୁଇଟି ଗାଁର ଲୋକମାନେ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି। ଆଗାମୀ ଦିନରେ ଏହି ସମସ୍ୟା ସମାଧାନ ନ ହେଲେ ବ୍ଲକ କାର୍ଯ୍ୟାଳୟଋରେ ତାଲା ପକାଇବେ ବୋଲି ଗାଁଲୋକମାନେ ଚେତାବନୀ ଦେଇଛନ୍ତି।