ପୋଲିସ ଅଫିସରଙ୍କ ବଦଳି ଆଶଙ୍କାରେ ଏସ୍ଡିପିଓଙ୍କୁ ଘେରିଲେ ସ୍ଥାନୀୟଲୋକ
26/02/2020 at 3:10 PM

ଆନନ୍ଦପୁର ୨୬।୨: ପୋଲିସର ଅପାରଗତାକୁ ନେଇ ବିଭିନ୍ନ ସମୟରେ ପୋଲିସ ଅଧିକାରୀଙ୍କ ବଦଳି ଦାବିରେ ଜନସାଧାରଣଙ୍କ ତରଫରୁ ଆନ୍ଦୋଳନ, ଥାନା ଘେରାଉ, ଏସପିଙ୍କ ନିକଟରେ ଫେରାଦ ଦିଆଯାଇଥିବା ଘଟଣାମାନ ବାରମ୍ବାର ଦେଖିବାକୁ ମିଳୁଛି । ମାତ୍ର ଏଠାରେ ଜଣେ ସଚ୍ଚୋଟ ପୋଲିସ ଅଫିସର ସ୍ଥାନୀୟ ଥାନାରୁ ବଦଳି ହେବା ଆଶଙ୍କା ନେଇ ଲୋକେ ତାତିଛନ୍ତି । ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ସମ୍ପୃକ୍ତ ପୋଲିସ ଅଫିସରଙ୍କୁ ବଦଳି ନକରିବା ଦାବିରେ ଏସଡିପିଓଙ୍କୁ ଘେରାଉ କରିଛନ୍ତି । ଏସଡିପିଓ ଲୋକଙ୍କ ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ଜଣାଇବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାରେ ।

ରାମଚନ୍ଦ୍ରପୁର ଥାନାର ସବ୍ ଇନ୍ସପେକ୍ଟର ବିଶ୍ବଜିତ ବେହେରା ଏବେ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି । ଦୋଷୀକୁ ଉଚିତ ଶିକ୍ଷା ଦେଉଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚୋରା ମଦ ବ୍ୟବସାୟୀ, ବାଲି ମାଫିଆ, ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବଜିତ ବେହେରା ଆସିବା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁରେ ଝିଅ, ବୋହୂମାନେ ନିର୍ଭୟରେ ଚଳପ୍ରଚଳ କରିପାରୁଛନ୍ତି ।

ସେହିପରି ଗରିବ ଦୁଃଖୀଙ୍କ ପାଇଁ ମଧ୍ୟ ସେ ନିସ୍ବାର୍ଥରେ କାମ କରୁଛନ୍ତି । ହେଲେ କେତେକ କୁଚକ୍ରୀ ମାଫିଆ ବିଶ୍ବଜିତ ବେହେରାଙ୍କୁ ରାମଚନ୍ଦ୍ରପୁର ଥାନାରୁ ବଦଳି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ତାଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇଥିବାରୁ ତାଙ୍କ ବଦଳିକୁ ନେଇ ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି ।