ପାରାଦୀପରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ଆଇଓସିଏଲ ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ

Published By : Prameya-News7 Bureau | September 26, 2018 IST

ଜଗତସିଂହପୁର ୨୬|୯: ଲଗାଣ ବର୍ଷା ରେ ଗାଁରୁ ବର୍ଷାଜଳ ନିଷ୍କାସନ ଓ ପିଇବା ପାଣି ଯୋଗାଣ ଦାବିରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ୫ଟି ମୌଜାର ଗ୍ରାମବାସୀ । ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ସାମିଲ ହୋଇ ପାରାଦୀପ ତୈଳ ବିଶୋଧନାଗାରର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଆଇଓସିଏଲ୍ ପ୍ରକଳ୍ପ ନିର୍ମାଣ ସରିବା ପରେ କେତେକ ସ୍ଥାନରେ ଜଳପଥ ଅବରୋଧ ହେବାରୁ ଗତ ଲଗାଣ ବର୍ଷାରେ ସ୍ଥାନୀୟ ଗ୍ରାମାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ନା ସେଥିପ୍ରତି ଆଇଓସିଏଲ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ନା ପ୍ରଶାସନ ଦୃଷ୍ଟି ଦେଲା ଯାହାଦ୍ଵାରା ଏପର୍ଯ୍ୟନ୍ତ ମଧ୍ୟ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଜଳ ଜମି ରହିବାରୁ ସ୍ଥାନୀୟ ଚାଷଜମି ସବୁ ଜଳମଗ୍ନ ହୋଇ ଫସଲ ଉଜୁଡି ଯାଇଛି। ଯାହାର କ୍ଷତିପୂରଣ ପାଇଁ କେହି ବି ଏପର୍ଯ୍ୟନ୍ତ ଉଦ୍ୟମ କରୁନାହାନ୍ତି। ଏଥିସହିତ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସ୍ଥାନୀୟ ଗ୍ରାମବାସୀଙ୍କୁ ଆଇଓସିଏଲ୍ ଯେଉଁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ କରୁଛି ତାହା ଅଞ୍ଚଳବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣର ହେଉନାହିଁ ସେନେଇ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହିସବୁ ଅସନ୍ତୋଷକୁ ନେଇ ଆଜି ରଙ୍ଗିଆଗଡ, ସିଜୁ, ବଗଦିଆ, ପାରାଦୀପ ଗଡ, ଫତେପୁର, ତ୍ରୀଲୋଚନପୁର ପ୍ରଭୃତି ଅଞ୍ଚଳବାସୀ ଆଜି ଆଇଓସିଏଲ୍ ରାସ୍ତା ଅବରୋଧ କରି ରାସ୍ତା ଉପରେ ବସି ରହିଛନ୍ତି। ଏପରିକି ଜଗତସିଂହପୁର ସାଂସଦ କୂଳମଣି ସାମଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦେଖାଦେଇଛି। ତେବେ ଯେପର୍ଯ୍ୟନ୍ତ ଆଇଓସିଏଲ୍ ଏସବୁ ସମସ୍ୟା ପ୍ରତି ଗୁରୁତ୍ବ ଦେଇ ଏହାର ସ୍ଥାୟୀ ସମାଧାନ ନ କରିଛି ସେପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.