୧୫ଦିନ ହେଲା ପାନୀୟ ଜଳ ଯୋଗାଣ ଠପ୍, ପ୍ରତିବାଦରେ ଏନଏଚ ଅବରୋଧ କଲେ ଗ୍ରାମବାସୀ

Published By : Prameya-News7 Bureau | June 13, 2022 IST

କଳାହାଣ୍ଡି ୧୩।୬: କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ୍ ସଦର କୋକସରା ଗ୍ରାମରେ ୧୫ଦିନ ହେବ ପାନୀୟ ଜଳ ଯୋଗାଣ ପୁରା ଠପ୍ ହୋଇଯାଇଛି । ନା ପିଇବା ପାଇଁ ସଫା ପାଣି ଟୋପେ ମିଳୁଛି ନା ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପାଣି ଅଛି । ପାଇପ୍ ଯୋଗେ ଯେଉଁ ପାଣି ଯୋଗାଣ ହେଉଥିଲା ତାହା ଲୋକଙ୍କୁ ନିଅଣ୍ଟ ହେଉଥିବା ବେଳେ କିଛି ଦିନ ହେବ ତାହା ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସରପଞ୍ଚ ସମେତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବାରୁ ଗ୍ରାମବାସୀମାନେ ଜାତୀୟ ରାଜପଥ ୨୬କୁ ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି। ଘଟଣାସ୍ଥଳରେ ସରପଞ୍ଚ ଜିପିଓ ସମେତ କୋକସରା ପୋଲିସ ପହଞ୍ଚି ଆନ୍ଦୋଳନରେ ଥିବା ମହିଳା ଓ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।  ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇନାହିଁ। ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଏ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.