ପରିଣତ ବୟସରେ ପ୍ରେମକୁ ବରଦାସ୍ତ କଲେନି ଗାଁଲୋକେ ,ବିଧବା ମହିଳା ଏବଂ ତାଙ୍କ ଦିବ୍ୟାଙ୍ଗ ସାଥୀଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇ ଗାଁ ବୁଲାଇଲେ
29/08/2020 at 3:37 PM

ମୈନପୁରୀ ୨୯/୮: ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। କୋତଓ୍ବାଲି ଅଞ୍ଚଳର ସିକନ୍ଦରପୁର ଗାଁରେ ବିଧବା ମହିଳା ଏବଂ ଜଣେ ଯୁବକଙ୍କ ସହ ଅମାନବୀୟ ବ୍ୟବହାର କରାଯାଇଛି। ସୂଚନା ପାଇବା ମାତ୍ରେ ପୋଲିସ୍ ୨ଜଣଙ୍କୁ ଉଦ୍ଧାର କରିଛି ଏବଂ ଥାନାକୁ ନେଇ ଆସିଛି।
ସୂଚନା ଅନୁସାରେ ବିଧବା ମହିଳା ଏବଂ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଯୁବକ ଜଣଙ୍କର ମଧ୍ୟ ପତ୍ନୀଙ୍କର ମୃତ୍ୟୁ ହୋଇ ସାରିଛି। ଏହା ପରଠୁ ଦୁହେଁ ଗାଁରେ ଏକାଠି ରହୁଥିଲେ। କିନ୍ତୁ ଗାଁଲୋକେ ତାଙ୍କ ସମ୍ପର୍କକୁ ବିରୋଧ କରୁଥିଲେ।
ଶୁକ୍ରବାର ରାତିରେ ଗାଁ ଲୋକେ ବିଧବା ମହିଳାଙ୍କ ଘରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଧରି ଘରୁ ନେଇଯାଇଥିଲେ। ଗାଁଲୋକେ ଉକ୍ତ ମହିଳା ଏବଂ ଯୁବକଙ୍କୁ ବାଡ଼ିରେ ନିର୍ମମ ଭାବେ ପିଟିଥିଲେ। ସେମାନଙ୍କୁ ନଣ୍ଡା କରି ଦେଇଥିଲେ।
ଏହା ପରେ ଜୋତା-ଚପଲର ମାଳ ବେକରେ ପିନ୍ଧାଇ ଉଭୟଙ୍କୁ ଗାଁରେ ବୁଲାଇଥିଲେ। ସୂଚନା ମିଳିବା ମାତ୍ରେ ପୋଲିସ୍ ବିଧବା ମହିଳା ଏବଂ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏହି ସମୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୋଲିସ୍ ଅଭିଯୁକ୍ତକୁ ଖୋଜା ଜାରି ରଖିଛି।