ବୌଦ୍ଧ: ରେଳ ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା । ଗ୍ରାମବାସୀ ଏବଂ ଠିକା ସଂସ୍ଥା ମଧ୍ୟରେ ଠେଲା ପେଲା। ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହି ପ୍ରକଳ୍ପ ଅନୁଯାୟୀ, ଚମ୍ପାପୂର ଗାଁ ନିକଟରେ ଗୋଟିଏ ଲେବଲ୍ କ୍ରସିଂ ନିର୍ମାଣ କରାଯାଉଛି। ହେଲେ ସେହି ଲେବୁଲ କ୍ରସିଂରେ ଲୋକଙ୍କ ଯା’ଆସ ପାଇଁ ଯେଉଁ ରାସ୍ତା ନିର୍ମାଣ କରାଯାଉଛି, ତାହା ତଳିଆ ଅଞ୍ଚଳରେ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହା ସହ ତଳିଆ ଅଞ୍ଚଳରେ ନକରି ଏକ ସିଧା ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି।
ଆହୁରି ମଧ୍ୟ, ଏନେଇ ମଥୁରା ପଞ୍ଚାୟତର ପ୍ରାୟ ୧୦ ଖଣ୍ଡ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଆଉ ଖାଲୁଆ ରାସ୍ତା ବଦଳରେ ସିଧା ରାସ୍ତା ଯୋଗାଇଦେବା ଦାବି କରି ସୋମବାର ଉତ୍ୟକ୍ତ ଲୋକେ ଠିକା ସଂସ୍ଥାର କ୍ୟାମ୍ପକୁ ଭଙ୍ଗାରୁଜା କରିବା ସହିତ କର୍ମଚାରୀଙ୍କୁ ମାରପିଟ୍ କରିଥିବା ମଧ୍ୟ ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ୧ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ହରଭଙ୍ଗା ଆଡିସନାଲ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ସେପଟେ ଠିକା ସଂସ୍ଥା ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଆହୁରି ପଢ଼ନ୍ତୁ: କାଠଯୋଡିରେ ଗାଧୋଇବା ହେଲା କାଳ, ନଦୀରେ ବୁଡି ଚାଲିଗଲା ନାବାଳିକାଙ୍କ ଜୀବନ