ଶୁଣିଲାଣି ପ୍ରଶାସନ, ପକେଟ୍ ଖର୍ଚ୍ଚରୁ ରାସ୍ତା ମରାମତି କଲେ ଗାଁ ଯୁବକ

Published By : Prameya-News7 Bureau | September 23, 2021 IST

ଭଦ୍ରକ ୨୩।୯: ଭଦ୍ରକ ବ୍ଲକ୍ କୋଡ଼ବରୁଆଁ ପଞ୍ଚାୟତ ଦେଇ ଯାଇଥିବା ଆସୁରା-ସାବରଙ୍ଗ ଆରଡି ରାସ୍ତା । ଗୋଟେ ପଟେ ଭଦ୍ରକ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ବେଳେ ଗୋଟେ ପଟେ ବସୁଦେବପୁରକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ପ୍ରତିଦିନ କୋଡ଼ବରୁଆଁ, ସାବରଙ୍ଗ, ଚଣ୍ଡିଗାଁ ପଞ୍ଚାୟତର ଲୋକେ ଯାତାୟତ କରନ୍ତି । କୋଡ଼ଗମ୍ଭୀର, ପଲ୍ଲୀ, ପଗଡ, କ୍ଷୀରସାହି, ଆଟୋଗାଁ  ଏବଂ ଦୁଇଟି ସ୍କୁଲ ଯଥା ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ବିଦ୍ୟାଳୟ  ସହ ଚରମ୍ପା ମହାବିଦ୍ୟାଳୟ, ସଂସ୍କୃତ ଆଞ୍ଚଳିକ ମହାବିଦ୍ୟାଳୟର  ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଜନସାଧାରଣ ଯିବା ଆସିବା କରନ୍ତି  ।

ଏହି ରାସ୍ତାର ନିର୍ମାଣ ପରଠାରୁ ମରାମତି ହୋଇନାହିଁ । କଂକ୍ରିଟ ଫାଟି ଲୁହା ରଡ୍ ବାହାରି ପଡିଛି । ଏମିତି କି ଏହି ରଡ୍ ପାଇଁ ପଥଚାରୀ ଓ ଯାତାୟାତ କରୁଥିବା ଲୋକେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ତେଣୁ ସ୍ଥାନୀୟ ଯୁବକମାନେ ଜିଲ୍ଲା ପ୍ରଶାସନକୁ ରାସ୍ତା ମରାମତି ପାଇଁ ବହୁ ଅନୁରୋଧ କରିଥିଲେ । ମିଳିଥିଲା ମରାମତିର ପ୍ରତିଶ୍ରୁତି । କିନ୍ତୁ ମରାମତି ନହେବାରୁ କୋଡଗମ୍ଭୀର ଗାଁର ଯୁବକମାନେ ନିଜେ ରାସ୍ତା ମରାମତି କରିଛନ୍ତି ।

ବହୁ ଥର ବ୍ଲକ୍, ପଞ୍ଚାୟତରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସବୁବେଳେ ରାସ୍ତା ମରାମତି ପାଇଁ ସମୟ ଦିଆଯାଇଛି । କିନ୍ତୁ ଗାଁର ଯୁବକମାନେ ନିଜ ପ୍ରଚେଷ୍ଟାରେ ରାସ୍ତା ମରାମତି କରିଛନ୍ତି । ନିଜ ପକେଟ ଖର୍ଚ୍ଚରୁ ଟଙ୍କା ଦେଇ ଆବଶ୍ୟକୀୟ ସାମଗ୍ରୀ କିଣିଛନ୍ତି ଓ ନିଜେ ଶ୍ରମଦାନ କରି ରାସ୍ତାକୁ ମରାମତି କରିଛନ୍ତି । କିଛି ସ୍ଥାନରେ ବାହାରିଥିବା ଲୁହା ରଡକୁ କାଟି ସିମେଣ୍ଟ ଓ ଚିପ୍ସ ଦେଇ ଖାଲକୁ ଭର୍ତ୍ତି କରି ପ୍ଲାଷ୍ଟର କରିଛନ୍ତି । ପୁଣି ପରେ ସମୟ ମିଳିଲେ ଅନ୍ୟ ସ୍ଥାନଗୁଡିକୁ ମରାମତି କରିବେ ବୋଲି କହିଛନ୍ତି । ଯୁବକମାନଙ୍କର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.