କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ କନ୍ନଡ଼ ଷ୍ଟାର କିଚ୍ଚା ସୁଦୀପ

Published By : Prameya-News7 Bureau | April 05, 2023 IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣିଥରେ ସରକାର ଗଠନ କରିବାକୁ ଜୋର୍‌ସୋର୍‌ରେ ଲାଗିପଡ଼ିଛି ବିଜେପି। ଘନ ଘନ ପ୍ରଧାନମନ୍ତ୍ରୀଙ୍କ ରାଲି ସହିତ ଫିଲ୍ମ ଷ୍ଟାର ପାୱାର ଦେଖାଇଛି ଦଳ। ରାଜ୍ୟରେ ବିଜେପି ପାଇଁ ପ୍ରଚାର କରିବେ କନ୍ନଡ଼ ଷ୍ଟାର କିଚ୍ଚା ସୁଦୀପ। ପ୍ରଥମ ଥର ପାଇଁ କିଚ୍ଚା ସୁଦୀପ କୌଣସି ରାଜନୈତିକ ରାଲି କରିବାକୁ ଯାଉଛନ୍ତି। ବିଜେପି ପାଇଁ ପୂରା ରାଜ୍ୟରେ ପ୍ରଚାର କରିବେ ସୁଦୀପ। ବିଶେଷ କରି କଲ୍ୟାଣାରେ ପ୍ରଚାର କରିବାକୁ ଗୁରୁତ୍ୱ ଦେଇ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି।

୫୧ ବର୍ଷୀୟ କିଚ୍ଚା ସୁଦୀପ ନାୟକା କାଷ୍ଟରୁ ଆସୁଛନ୍ତି। ରାଜ୍ୟରେ ଏହି ଜାତି ଅନୁସୂଚିତ ଜାତି ବର୍ଗରେ ରହିଛି। ତେଣୁ ଦଳ ପାଇଁ ତାଙ୍କର ପ୍ରଚାର ଜାତିଗତ ଭୋଟ୍‌ ବଢାଇପାରେ ବୋଲି ବିଜେପି ଆଶା କରୁଛି।

ଏହା ପୂର୍ବରୁ ଫେବ୍ରୁଆରୀ ମାସରେ କର୍ଣ୍ଣାଟକ ମୁଖ୍ୟ ଡି.କେ ଶିବକୁମାର କିଚ୍ଚାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ସେତେବେଳେ ସେ କଂଗ୍ରେସର ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ଦୁହେଁ ଏହାକୁ ବ୍ୟକ୍ତିଗତ ସାକ୍ଷାତ୍‌କାର ବୋଲି କହିଥିଲେ।

ଏପଟେ କର୍ଣ୍ଣାଟକର ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ମେ ୧୦ ତାରିଖରେ ଭୋଟ ହେବ। ମେ ୧୩ ତାରିଖରେ ଗଣତି ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି। ଏଥିସହିତ ନିର୍ବାଚନ ପାଇଁ ରାଜ୍ୟରେ ଆଚରଣବିଧି ଲାଗୁ ହୋଇସାରିଛି। ନିର୍ବାଚନ ପାଇଁ ଜେଡିୟୁ ଓ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ଏପ୍ରିଲ ୮ ତାରିଖରେ ପ୍ରାର୍ଥୀ ଘୋଷଣା କରିବ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.